ମୋ ଚ଼ାଳଘରକୁ ଆ
ମୋ ଚ଼ାଳଘରକୁ ଆ
ମୋର ଚାଳ ଘର ମାଟି ବାରଣ୍ଡାରେ
ତୋ ପାଇଁ ଆସ୍ଥାନ କଲି
ଚାଲିଆ ରେ ଧନ ଭାଇ ଭଗ୍ନୀ ସଙ୍ଗେ
ତୋତେ ମୋ ରାଣ ଦେଲି ।
ତୁ ଦେଖିବୁ ଧନ ମୋ ଚ଼ାଳ ତଳଟା
କେତେ ଶୀତଳତା ଦେବ
ତୋ ରତନ ବେଦୀ ନାହିଁ ସିନା ଧନ
ଶରଧା ଚନ୍ଦନ ଥିବ ।
ସେବାୟତ ସେବା ଖଞ୍ଜି ପାରିବିନି
ହେଲେ ମୋ ଭାବେ ସେବିବି
ବାର ମାସେ ତୋର ବତିଶି ବେଶର
ମନ୍ମୟେ ସଜାଇ ଦେବି |
ଷାଠିଏ ପଉଟି ଅନ୍ନ ନ ବାଢ଼ିଲେ
ଜାଣେ ତୁହି ରୁଷି ବୁନି
ମୋ ଘର ଅରୁଆ ଅନ୍ନରେ ତୁଳସୀ
ମୋ ଭାବ କୁ ଭୁଲିବୁନି |
ମାଟି ଅଗଣାରେ ମାଟି ଦୀପ ଦେଇ
ସଜାଇ ଦେବିରେ ରେ କାହ୍ନା
କଳା ଅନ୍ଧାରରେ ତୁମେ ତିନିଜଣ
ଆସିବ କି ରଥ ବିନା |
ଦାମୀ ପୀତାମ୍ବରୀ ପିନ୍ଧାଇ ନଦେଲେ
ହଳଦିଆ ବାସ ଦେବି
ସେ ବାସରେ ମୋର ମନର ଭାବନା
ଆଙ୍କି ଦେଇ ପିନ୍ଧାଇବି ।
ମୋ କବାଟ ଖୋଲି ରଖିଛି କାଳିଆ
ପାଦ ଶବ୍ଦ ଶୁଣାଇବୁ
ବଳରାମ ଆଉ ହଳଦୀ ମୁଖୀକୁ
ମୋ କଥା ଆଗୁ କହିବୁ |
ମୋ ମାଟି ଘରର ମାଟି ପାଚେରୀ ରେ
ନଡାର ଛାଉଣୀ ତଳେ
ତୁହି ଆସି ଗଲେ ବୈକୁଣ୍ଠ ହେବରେ
ଏ ମନ ନ ବୁଝେ ହେଳେ ।
ମୋ ପଖାଳ ହାଣ୍ତି ଟଙ୍କ ତୋରାଣୀର
ବାସରେ ମହକୁ ଥିବ
ମୋ ଘର ହୋଇବ ମାଟି ବୈକୁଣ୍ଠ ରେ
ମନ ଶାନ୍ତିରେ ଭରିବ I
