ମୋ ବନ୍ଧୁ ମୋ ସଖା
ମୋ ବନ୍ଧୁ ମୋ ସଖା
ଏ ପାର୍ଥିବ ସଂସାରରେ ବନ୍ଧୁ ତ ଅନେକ
କିଏ ଘଡିକ ପାଇଁ ତ କିଏ ଦିନକ ପାଇଁ
କିଏ ଅବା କିଛି ମାସ କି କିଛି ବର୍ଷର ପାଇଁ,
ହେଲେ ଜନ୍ମରୁ ମୃତ୍ୟୁ ଯାଏ ବନ୍ଧୁଟେ କାଳିଆ
କହ ତୋ ବିନୁ ଆଉ କିଏ ଅଛିରେ କାହିଁ ?
ତୁ ମାତୃ ଗର୍ଭରୁ ସାଥୀ ହେଲୁ, ପ୍ରାଣ ସଞ୍ଚରିଲୁ,
ଦଶ ମାସ ଦଶଦିନ ଯାଏ ଆବୋରି ରଖିଲୁ
ତୋ' କରୁଣାପୟୋନିଧିରେ ଆଶ୍ରୟ ଦେଇ
ମାନବ ଯୋନିରେ ଜନ୍ମ ନେବାର ସୌଭାଗ୍ୟ ଦେଲୁ ।।
ମତେ ବଞ୍ଚେଇ ରଖିବା ଲାଗି ମା'ର ଛାତିରେ
କ୍ଷୀର ଦେଲୁ, ନୀର ଦେଲୁ, ସବୁ ଯନ୍ତ୍ରଣା ସହିବାକୁ
ଶକ୍ତି ଦେଇ ମୋ ମାଆର ମନକୁ ଟାଣ କରିଦେଲୁ
ତୁ ଅନ୍ତର୍ନିହିତ ହୋଇଗଲୁ ଯେମିତି ମାଆ ଭିତରେ ।।
ହେଲେ, ମୁଁ ଭୂମିଷ୍ଠ ହେଲା କ୍ଷଣି ତୁ ହଜିଗଲୁ
କୁଆଡେ କେଜାଣି ? ମୁଁ ଖୋଜିଲି କାଇଁ? କାଇଁ ?
ସଂସାର ଶୁଣିଲା କୁଆଁ, କୁଆଁ ,କୁଆଁ ,କୁଆଁ ,କୁଆଁ
ମୋ ଆଖି ଦେଖି ଥିଲା କେତେ ଚିଜ ନୂଆ ନୂଆ ।।
ସଂସାର ମୋହରେ ପଡିଲି, ତୋତେ ପାଶୋରିଲି
ବାଲ୍ୟକାଳରେ ଖେଳସାଥୀ, କୈଶୋରରେ ବିଦ୍ୟା ,
ଯୌବନରେ ପ୍ରେମ ସାଥୀ, ସଂସାରର ଭୋଗ ସାଥୀ
କରୁ କରୁ ପ୍ରୌଢ ହେଲି, ମୋହରେ ସବୁ ବିସ୍ମରିଲି ।।
ମୋ ପତ୍ନୀ, ମୋ ସନ୍ତାନ, ମୋର ଧନ, ମୋର ମାନ,
ହୋଇ ହୋଇ ଦିନ ଗଡିଗଡି ଗଲା ,ବାର୍ଦ୍ଧକ୍ୟ ଆସିଲା
ସାଥୀ ହେଲା ଶରୀରର ଅସୁମାରୀ ଦୂରାରୋଗ୍ୟ ବ୍ୟାଧି
ସବୁ ତ ମୋର ଜୀବନଯାକର ସାଂସାରିକ ମୋହରୁ ଅର୍ଜିତ ।।
ଏବେ ଜୀବନର ସଞବେଳଟାରେ ସଦୁ ତୁଚ୍ଛ ଲାଗୁଛି
ମନ ତତେ ଖୋଜୁଛି, ବିଳପି ହେଉଛି '' କ'ଣ କଲି '' ?
ପ୍ରାପ୍ତି ଅପ୍ରାପ୍ତିର ହିସାବ ନିକାଶ କରୁ କରୁ ହାରି ଯାଉଛି
ସବୁ ଐଶ୍ଵର୍ଯ୍ୟ , ସବୁ ପ୍ରାଚୁର୍ଯ୍ୟ ମତେ ବିଷପିତା ଲାଗୁଛି ।।
ମନ ଭିତରେ ପଶ୍ଚାତ ପର ନିଆଁ ଅହରହ ଜାଳୁଛି ମତେ
ଆତ୍ମଶ୍ଳାଘାରେ ଜର୍ଜରିତ ମନ କହୁଛି ବନ୍ଧୁଦ୍ରୋହୀ ହେଲୁ,
ଦୁର୍ଲଭ ମାନବ ଜନ୍ମର ଅସଦ୍ ବ୍ୟବହାର କରି ପାପ ଅର୍ଜିଲୁ,
କ'ଣ କଲୁରେ ହତଭାଗା , ରାମ ନାମ ,କୃଷ୍ଣ ନାମକୁ ଭୁଲିଲୁ ?।।
ନାହିଁ ମୋର ସୁଦାମା କି ବନ୍ଧୁ ମହାନ୍ତିଙ୍କ ଦାଢ୍ୟତା ଭକ୍ତି,
ନାହିଁ ମୋର ହୃଦୟେ ସଖୀ ଦ୍ରୌପଦୀଙ୍କ ପୂର୍ଣ୍ଣ ସମର୍ପଣ ,
ନାହିଁ ମୋ ପାଶେ ତୁମ ସଖା ଅର୍ଜୁନଙ୍କ ଆଜ୍ଞାକାରୀ ଭାବ
ମୋ ଆଖି ଲୁହ ଆଞ୍ଜୁଳାରେ ଖାଲି ଧୋଇ ଦେବି ତୁମ ପାଦ ।।
ଦୁଇ ହାତ ଯୋଡ଼ି ନେହୁରା ହେଉଛି ହେ ସଖା ! କ୍ଷମା ମାଗୁଛି,
ମୁଁ ସିନା ମହାପାତକୀ ସଖା ! ତୁମେ ପରା ପତିତପାବନ !
ତୁମେ ଶରଣପଞର , ତୁମେ କୃପା ସିନ୍ଧୁ,ତୁମେ ପରମ କାରଣ !
ମୋର ପାପ ତାପ ନାଶ କର, ଦିଅ ତୁମ ଅଭୟ ଶରଣ ।।