ମୋ ବାପା
ମୋ ବାପା
କେବଳ ଉଚାରଣ ହିଁ ଯଥେଷ୍ଟ
ଆଚରଣରେ ସୁସ୍ପଷ୍ଠ
ମୁଣ୍ଡ ଉପରେ ବିଶାଳ ଛାତଟିଏ
ପାଦ ତଳେ ମଜଭୁତ ଭୂଇଁ ଟିଏ
ମୋ ବାପା କେବଳ ମୋ ବାପା
କହିବା ଭାବିବା ପୂର୍ବରୁ
ସବୁ ତଥାସ୍ତୁ ହେଇଯାଏ
କଷ୍ଟ ସବୁ ନିମିଷକେ ମିଳେଇ ଯାଏ
ବାପା ଯେତେବେଳେ ସାଉଁଳି ଦିଅନ୍ତି ଅସ୍ତବ୍ୟସ୍ତ ମଥା ମୋର ।
ଖୁବ ସ୍ଥିର ଦେଖାଯାନ୍ତି ମୋ ବାପା
କିନ୍ତୁ ଅସଲରେ ବାପା ମୋର ଖୁବ ଅସ୍ଥିର ଖାସ ମୋ ପାଇଁ
ମୋ ଭଲ ମନ୍ଦର ହିସାବ କରୁ କରୁ ବୟସ ଗାଡି ଗଲା
ଅଥଚ ମୁହଁ ଫିଟେଇ ପ୍ରତିବାଦର ସ୍ୱର କରି ନାହାନ୍ତି କେବେ
ସତେ ଅବା ଅଚଳ ମେରୁ ଟିଏ
ଶକ୍ତ ସାହାରା ଟିଏ ମୋ ବାପା ।
ଚପଲ ଘୋରି ହେଇ ଭୂଇଁରେ ମିଶିବା ଯାଏ
ପିନ୍ଧୁଥାନ୍ତି ମୋ ବାପା
ରଙ୍ଗ ଛଡା ଲୁଙ୍ଗି ତାଳି ପକା କାମିଜରେ
ସାରି ଗଲା ଜୀବନର ଅର୍ଦ୍ଧେକ
ଢୁ ଢୁ ଖରାରେ କାମରୁ ଆସି ସଦା ପାଣି ମୁନ୍ଦେ ପିଇ ଦେଇ
ବୁଢ଼ୀ ହେଇଥା ବୋଲି ଆଶିଷ ଢାଳୁ ଥିବା ମଣିଷ ହିଁ ମୋ ବାପା
ମୋ ବାପା
ଅନୁଭବରେ
ଆଚାର ରେ
ବ୍ୟବହାରରେ
ଅନ୍ଧାର ଆଲୁଅରେ
ସ୍ବପ୍ନ ଆଉ ବାସ୍ତବରେ
ଆଜି ଆଉ କାଲିରେ
ପୁରୁଣା ଚିଠିରେ
ରଙ୍ଗ ଛଡା ରୁମାଲରେ
ଆକାଶର ତାରାରେ
କଥା ଆଉ କାହାଣୀରେ
ସ୍ମୃତି ର ପୃଷ୍ଠାରେ
ମୋ ବାପା ଆଜିବି
ଜୀବନ ନାଟକ ର ଅପରାଜୟ ନାୟକ
ମୋ ଗର୍ବ ଆଉ ଗୌରବ ।
