ମୋ ବାହୁଡ଼ା ବେଳ ହେଲା
ମୋ ବାହୁଡ଼ା ବେଳ ହେଲା
ବୟସ ବଢିଲା ଆୟୂଷ କମିଲା
ମରଣ ନିକଟ ହେଲା,
ଅପେକ୍ଷା ରହିଲା ବାହୁଡା ବେଳକୁ
ବିଷୟା ମାୟା ତୁଟିଲା।
ସରିଗଲା ଭୋଗ ଅଇଶ୍ଵର୍ଯ୍ଯ ଯୋଗ
ସଂସାର ଲାଗିଲା ତୁଚ୍ଛ,
କେବଳ ଭରଷା କାଳିଆ କରୁଣା
ତା' ପଦ ରେଣୁରେ ଆଶ।
ଯଦିବା ମିଳନ୍ତା ମୋ ଶେଷ ସନ୍ଧ୍ୟାରେ
ତା' ଶିରୀମୁଖ ଦର୍ଶନ,
ଭବୁଁ ତରିଯାନ୍ତି ମୁକତି ଲଭନ୍ତି
ମୁଖେ ଧରି ତାର ନାମ।
ଅଭଡା ନିର୍ମାଲ୍ଯ କଣିକା ପାଇଁକି
ବଳୁଅଛି ମୋର ମନ,
ଶେଷ ବିଚ୍ଛଣାରେ ଭାଗବତ ପଦେ
ଶୁଣନ୍ତାକି ମୋର କର୍ଣ୍ଣ।
ଚାରିକାନ୍ଧ ପରେ କୋକେଇ ଉଠନ୍ତା
ଯାଆନ୍ତି କି ସ୍ଵର୍ଗଦ୍ଵାର,
ରାମ ନାମ ସତ୍ୟ ହରିବୋଲ ଶବ୍ଦ
ବାଜନ୍ତା କାନରେ ମୋର।
ଶବ ଶୋଭାଯାତ୍ରା ସାର୍ଥକ ହୁଅନ୍ତା
ପଡନ୍ତା ଖଇ କଉଡି,
ଧଳା ଫୁଲ ଧଳା ଲୁଗା ଆଭରଣେ
ଅବିର ପଡନ୍ତା ଝଡ଼ି।
ଛ'ଖଣ୍ଡି ବାଉଁଶେ କୋକେଇ ସଜଡା
ବନ୍ଧା ଯେ ପାଳ ଦଉଡି,
ମୋ ଦାଣ୍ଡ ଦୁଆରୁ ଭବ ବନ୍ଧନଟି
ଅଚିରେ ଯାଆନ୍ତା ଛିଡ଼ି ।
ଶୂନ୍ୟ ଶୂନ୍ୟ ମହା ଶୂନ୍ୟେ ମିଳିଯାନ୍ତା
ପଡିଯାନ୍ତା ହାହାକାର,
ଏନ୍ତୁଡି ନିଆଁରୁ ମରଣର ନିଆଁ
ହୋଇଯାନ୍ତା ଏକାକାର।
ମୋ ବାହୁଡ଼ା ଯାତ୍ରା ସଫଳ ହୁଅନ୍ତା
କାଳିଆ କରିଲେ ଦୟା,
ମୋ ପିଲା ସଂସାର ସମର୍ପିଛି ତାକୁ
ସେହି ପରା ମୋର ସାହା।
