ମୋ ଅର୍ଦ୍ଧାଙ୍ଗିନୀ
ମୋ ଅର୍ଦ୍ଧାଙ୍ଗିନୀ
ହେ ମୃଗ ନୟନା ତୋର ଠାଣି-ବାଣୀ,
କଲା ମୋତେ ମନ୍ତ୍ରମୁଗ୍ଧ ।
କୋଟି କାମତୃଷ୍ଣା ଜଗାଇ ସହସା,
ତନୁ ମନ କରେ ଦଗ୍ଧ ।
ଚାହାଣୀରେ ତୋର ଲକ୍ଷେ ଶର ମାରି,
ହୃଦୟକୁ ଦେଲୁ ଚିରି ।
ପକ୍ୱବିମ୍ବ ଫଳ,ଯୋଡି ତୋ ଅଧର,
ମଧୂଶାଳା ସଙ୍ଗେ ସରି ।
ଚିକୁର ଟି ସମ ନୁହେଁ କଳା ମେଘ,
ଚିବୁକ ଲାବଣ୍ୟମୟୀ ।
ହସ୍ତ -ପଦ ପ୍ରାୟ ପଙ୍କଜ ସଦୃଶ,
ରୂପସୀ ଗୋ ମାନମୟୀ ।
କ୍ଷୀଣକଟିରେ ତ ପୂର୍ଣ କଳସୀ ଟି,
ପାରୁଛ କି ତୁମେ ସହି ?
ମୋ ହୃଦୟ କିବା ଦେଖି ଶତଖଣ୍ଡ,
ବୁଝି ମୁଁ ପାରଇ ନାହିଁ ।
ଯମୁନାରୁ ଆସ ପାଣି ପାଇଁ ସଖୀ,
କୋମଳ ପୟରେ ବାଧେ ।
ତୁମେ ଅନୁମତି ଦିଅ ଯିବି ନେଇ,
ବାଣ୍ଟିକି କଷଣ ଅଧେ ।
ତୁମ ପ୍ରେମେ ରାଇ,ହେଉଛି ମୁଁ ବାଇ,
ଅଜଣା ହେଉଛ କିଆଁ ?
ବଂଶୀ ତାନ ଶୁଣି ,ନୀରବ ରହିଲେ,
ସହି ପାରୁନି ମୋ ହିଆ ।
ମାନମୟୀ ତୁମେ,କ୍ଷମାମୟୀ ତୁମେ,
ମାନ ଛାଡି କ୍ଷମା କର ।
ଦୋଷ ନ ଧର ହେ ,ମୋ ପ୍ରାଣ ସଙ୍ଗିନୀ,
ଯୋଡଇ ମୁଁ ଦୁଇ କର ।

