ମନରେ ଆସୁ ମୋ ଶୁଦ୍ଧ ଭାବନା
ମନରେ ଆସୁ ମୋ ଶୁଦ୍ଧ ଭାବନା
ମନ ଦୁଇଟି ବ୍ୟଞ୍ଜନ ବର୍ଣ୍ଣର ଶବ୍ଦ ଏକ
ଯା'ର ଅର୍ଥ କଳ୍ପାୟୁରୁ ବେଶି ବ୍ୟାପକ,
ମନର ମୂଳେ ଏ ଜଗତ ଯାକ
ନିୟନ୍ତ୍ରଣ କରି ପାରେ ଜଣେ ହୋଇ ସାଧକ।
ମନର 'ମ' ରୁ ମାଂସ ମେଦ ମଜ୍ଜା
ଶରୀରେ ସୁନ୍ଦର ଆକୃତିରେ ହୋଇଥାଏ ସଜା,
'ନ' ରୁ ନାସା ନାଭି ନାଡିରେ ଜୀବନ ହୁଏ ଖୋଜା
ଚିନ୍ତା ଚେତନାରେ ତାର ଉଠେ ବିଜୟ ଧ୍ଵଜା।
ସ୍ଥୂଳ ଶରୀର ସୂକ୍ଷ୍ମ ଆତ୍ମାର ମନ ସୂତ୍ରଧର
ଭିନ୍ନ ଭିନ୍ନ ଦୃଷ୍ଟି କୋଣେ ପକାଏ ନଜର,
ଆସ୍ତିକ ନାସ୍ତିକ ଏ ଦୁଇ ଭାବନା ତାର
ଯେଣିକି ଓଟାରେ ତେଣିକି ଯାଏ ବାରବାର।
ପାଞ୍ଚ ଜ୍ଞାନେନ୍ଦ୍ରିୟ ପାଞ୍ଚ କର୍ମେନ୍ଦ୍ରିୟ
ଏ ଦଶ ମଧ୍ୟେ ମନ ଏକାଦଶ ଇନ୍ଦ୍ରିୟ,
କେନ୍ଦ୍ରସ୍ଥଳେ ଆତ୍ମାର ଘରଟି ଯେ ହୃଦୟ
ବୁଦ୍ଧି ବିଚାରି କରଇ ସେ ଜ୍ଞାନର ସୂର୍ଯ୍ୟୋଦୟ।
ଏ ମନ ସଦା ଚଳ ଚଞ୍ଚଳ ଅବାଧ ଅସ୍ଥିର
ନିମିଷକେ ଗତି ତାର ଅମାପ ଦୂର,
ସ୍ବାଧୀନ ସ୍ଵତନ୍ତ୍ର ହୋଇ ଥାଏ ନିରନ୍ତର
ଯେମିତି ଭାବେ ଯିଏ ସେମିତି ହୁଏ ତାର।
ବେଦ ମନ୍ତ୍ରର ଆତ୍ମଜ୍ଞାନ ଚେତାଇ ଦିଏ ଧାରଣା
"ଯାଦୃଶି ଭାବନା ଯସ୍ୟ, ସିଦ୍ଧି ଭବନ୍ତି ତାଦୃଶି",
ପୁନଶ୍ଚ କହେ, "ମନ ଏବ ମନୁଷ୍ୟାଣାଂ କାରଣଂ
ବନ୍ଧନଃ ମୋକ୍ଷୟଶ୍ଚ" ରୁ ମିଳେ ବାସ୍ତବ ପ୍ରେରଣା,
ମଣିଷ ଅଜ୍ଞାନତା ବଶତଃ ହୁଏ ବାଟବଣା
ନିଜେ ହଜାଇ ନିଜର ସଠିକ୍ ଠିକଣା।
ଏ ମନେ ଆସେ ଶଙ୍କା ସନ୍ଦେହ ଅବିଶ୍ୱାସ
ମଣିଷ ଭୟେ ହୁଏ ବ୍ୟତିବ୍ୟସ୍ତ ବିବ୍ରତ ନିରାଶ,
ନିଜସ୍ବ ପ୍ରତିଭା ପାରେନା କରି ପରିପ୍ରକାଶ
ମ୍ରିୟମାଣ ହୋଇ ହଜାଇ ଦିଏ ଆତ୍ମବିଶ୍ୱାସ।
ମନେ କରଇ ଅହରହ ମୁଁ ଶୁଭକାମନା
ଭାବେ ମନରେ ଆସୁ ମୋ ଶୁଦ୍ଧ ଭାବନା,
ସଦା ସକାରାତ୍ମକ ରହୁ ମୋ ଚିନ୍ତା ଚେତନା
ଏ ଭାବ ହେଉ ମୋ ଜୀବନର ଶ୍ରେଷ୍ଠ ପ୍ରାର୍ଥନା।
