ମନର ମରମ କାହାକୁ କହିବ
ମନର ମରମ କାହାକୁ କହିବ
ପର ଆସିଗଲେ ପକ୍ଷୀ ଉଡିଯାଏ
ବୁଝେନି ସ୍ନେହର ମୂଲ
କଲମରୁ ଯେବେ କାଳି ସରିଯାଏ
ଖାତା ଯେ କରେନି ଗେଲ ।
ସମୟର ଦ୍ୱାହି ଦେଇ ବଦଳଇ
ମଣିଷର ପରକୃତି
ଶିକ୍ଷା ସରିଗଲେ ଶିକ୍ଷକ ଅଜଣା
ଏହା ଆଧୁନିକ ନୀତି ।
ଲାଜର ଓଢଣା ହଜାଏ ଠିକଣା
ଆପଣାର ହେଇଗଲେ
ଭାବନାର ଅନ୍ତ ଆପେ ହୋଇଯାଏ
ଆବଶ୍ୟକ ସରିଗଲେ ।
ଅଜଣା ମଣିଷ ପରିଚୟ ନେଇ
ଆପଣାର ହେଇ ଯାଏ
ଜନମ ଦେଇଣ ବୃଦ୍ଧ ପିତାମାତା
ବୃଦ୍ଧାଶ୍ରମ ଖୋଜିହୁଏ ।
ବୟସ ବଢିଲେ ଠିକଣା ବଦଳେ
ଥିଲେ ତ ଟଙ୍କାର ଗଦା
ବିନା ପଇସାରେ ଜୀବନ୍ତ କାହାଣୀ
ରହିଯାଏ ଜାଣ ଅଧା ।
ନଈ ଚାଲି ଯାଏ ସାଗର ପାଖକୁ
ବୁଝେନି ପାହାଡ଼ ଦୁଃଖ
ମନର ମରମ କାହାକୁ କହିବ
ସଭିଏଁ ଖୋଜନ୍ତି ସୁଖ ।।
