ମନର ମଣିଷ
ମନର ମଣିଷ
(ଛନ୍ଦ-କୌଶିକ)
ଘରଟିଏ ତୋଳି ସ୍ନେହ ପ୍ରେମ ଢାଳି
ବାନ୍ଧିଲେ ଭରସା ବିଶ୍ୱାସ
ମନ ଅଗଣାରେ ବିଚରଣ କରେ
ସର୍ବଦା ମନର ମଣିଷ
ନେତ୍ର ପ୍ରଦେଶୁ
ହୁଅନ୍ତି ଯେବେ ସେ ଅନ୍ତର
ମନ-ସିଲଟରୁ ତାଙ୍କ ମଧୁସ୍ମୃତି
ପଠିବାରେ ଲାଗେ ଅନ୍ତର ।
କରି ଗଳାମାଳି ସୁଖଦୁଃଖ ତୋଳି
ପାଦେ ପାଦ ଛନ୍ଦି ଚାଲଇ
ନାହିଁ ଅବସୋସ ରହି ସଦା ତୋଷ
ଖୁସିବୀଜ ନିତି ବୁଣଇ
ସମ୍ପର୍କ କ୍ଷେତ
ଅନୁଭବେ ଚିର ସବୁଜ
ପ୍ରୀତିର ଜଳରେ ବିଶ୍ବାସ ଚେରରେ
ଠିଆ ମଜଭୂତରେ ହେଜ ।
ମନର ମଣିଷ ତୁଟାଇ ବିଶ୍ବାସ
ଯେଉଁଠି କରିଥାଏ ପର
ହୃଦୟ ବିଳାପ ବଢ଼ଇ ସନ୍ତାପ
ନେତ୍ରକୋଣରୁ ଅଶ୍ରୁଝର
ବହି ଚାଲଇ
ଭରସା ବନ୍ଧବାଡ଼ ଡେଇଁ
ସେଠାରେ ସମ୍ପର୍କ ଲାଗେ ବିଷ ତୁଲ୍ୟ
ଜୀଇଁବାର ଇଚ୍ଛା ତୁଟଇ ।
ମାନଅଭିମାନ ବୋଳଇ ଚନ୍ଦନ
ପ୍ରୀତିରୁ ମହମହ ବାସ
ଆଘ୍ରାଣରେ ମନ ତୋଳି ବଂଶୀସ୍ବନ
ଚିତ୍ତକୁ କରାଏ ହରଷ
ପରସ୍ପରଠି
ସନ୍ତୋଷ ଭାବ ଜାଗରିତ
ମନ ଅଙ୍ଗନଟି ପୂରଇ ତୃପ୍ତିରେ
ସେଠି ଜଣେ ଆନର ମିତ ।।