ମନର ମାନସୀ
ମନର ମାନସୀ
ମନର ମାନସୀ ତୁ ମୋ ରୂପସୀ
ତୋ ପ୍ରେମେ ପାଗଳ ମୁଁ
ଶୟନେ ସ୍ୱପନେ ଅବା ଜାଗରଣେ
ଆଖିରେ ନାଚୁଛୁ ତୁ ।
ହୃଦୟ ଇଲାକେ କରିଛୁ ତୁ ଘର
ମନର ଝରକା ଡେଇଁ
ସାତ ସାଗରକୁ ଡେଇଁ ମୁଁ ଆସିଛି
ତୋ ପ୍ରେମେ ପାଗଳ ହେଇ ।
ଆଖି ବୁଜି ଦେଲେ ତୁରେ ନାଚୁଛୁ
ଆଖି ଖୋଲି ଦେଲେ ପାଖେ ମୋ ଆସୁଛୁ
ହାତ ଠାରି ଡାକୁ ତୁ ।
ତୋ ପ୍ରେମେ ପାଗଳ ମୁଁ ।
ତୋ ଦୁଇ ନୟନ ନୀଳ ପାରାବାର
ଓଠରୁ ଝରୁଛି ମହୁ
ଟଣା ଟାଣା ଆଖି କରେ ମତୁଆଲା
କଥା ତୋ କୋଇଲି କୁହୁ ।
ନିଦ ମୋ ହଜାଏ ତୋ ପାଦ ପାଉଁଜି
ତୋ ପ୍ରେମେ ବିଭୋର ହୁଏ
ରୂଣୁ ଝୁଣୁ ଚୁଡି ପାଖେ ନିଏ ଭିଡି
ତୋତେ ମୁଁ ଭଲ ପାଏ ।
ହସି କହୁଅଛି ତୋ କାନ ଝୁମୁକା
ମୁଁ ତୋ ପ୍ରେମିକ ତୁ ମୋ ପ୍ରେମିକା
ମୋ ପାଇଁ ରହିଛୁ ତୁ ।
ତୋତେରେ ଖୋଜୁଛି ମୁଁ ।
ତୁ ଯେବେ ଆସୁରେ ଶ୍ରାବଣ ଲୁଚଇ
ଫଗୁଣ ରଙ୍ଗେଇ ଦିଏ
ତୋ ପ୍ରେମ ବର୍ଷାରେ ବିନା ଶ୍ରାବଣରେ
ମୋତେରେ ଭିଜେଇ ଦିଏ ।
ଅଳ୍ପ ଏଇ ରାତି ଗଳ୍ପ ଥାଏ ବେଶୀ
ତୋ ପ୍ରେମେ ଭିଜୁଛି ମୁଁ
ତୋ ଗଭା ଗଜରା କରେ ମନ ଚୋରା
ହସି ଲୁଚି ଯାଉ ତୁ ।
ମୋ ମନ ଆକାଶେ ତୁରେ ବିଜୁଳି
ଖେଳୁଛୁ ମୋ ସାଥେ ପ୍ରେମ ଲୁଚକାଳି
ଆଖି ଠାରି ଡାକୁ ତୁ ।
ପାଗଳ ହୁଏରେ ମୁଁ ।
ତୁ ଅଳସୀ କନ୍ୟା ଆଣୁ ପ୍ରେମ ବନ୍ୟା
ବନ୍ୟାରେ ଭସାଉ ମୋତେ
ତୋ ପ୍ରେମ ବନ୍ୟାରେ ଭୁଲି ଯାଇ ମୁହିଁ
ଖୋଜୁ ଥାଏ ଖାଲି ତୋତେ ।
କାନିକୁ ଉଡେଇ ବେଣୀକୁ ହଲେଇ
ହାତେ ସିଟି ମାରୁ ଥାଉ
ଚଗଲା ମନଟା ଚହଲି ଯାଏ ମୋ
ତୁ ଯେବେ ଇସାରା ଦେଉ ।
ଏଡିକି ଗେହ୍ଲେଇ ହେଉ ତୁ ଫୁଲେଇ
ଆଖିକୁ ନଚେଇ ଦେଲୁ ଲୋ ଫସେଇ
ତୋ ପିଛା ଧରୁଛି ମୁଁ ।
ହସି ଖସି ଯାଉ ତୁ ।
ତୋତେ ଦେଖି ଦେଲେ କାହିଁକି କେ ଜାଣି
ମନରେ ପୁଲକ ଆସେ
ଏଇ ଆଖି ମୋର ଖୋଜେ ତୋର ପ୍ରେମ
କେତେ କଥା ଭାବି ବସେ ।
ଭୋକ ଶୋଷ ସବୁ ଭୁଲି ଯାଇ ଥାଏ
ତୋ କଥାରେ ଭାବୁ ଥାଏ
ତୋର ଡେରି ହେଲେ କାହିଁକି କେଜାଣି
ଆଖି ଲୁହ ଝରି ଯାଏ ।
ହୃଦୟ ଇଲାକେ କରିଛୁ ତୁ ଘର
ପାଲଟି ଯାଇଛୁ ଜୀବନ ତୁ ମୋର
ତୋ ପାଇଁ ବଞ୍ଚିଛି ମୁଁ ।
ଠକିରେ ଦେବୁନି ତୁ ।