ମନର ବ୍ୟଥା
ମନର ବ୍ୟଥା
ଚକାନୟନ ହେ ଗରବଗଞ୍ଜନ
ପତିତପାବନ ବାନା ଉଡାଇ
ନୀଳକନ୍ଦରର ଗମ୍ଭିରା ଭିତରେ
ଗଭୀର ନିଦ୍ରାରେ ଅଛକି ଶୋଇ ।
ହାହାକାର ଶ୍ରୀମନ୍ଦିର ଚଉପାଶେ
ମଠ, ମନ୍ଦିର ତ ହୋଇଲା ଧ୍ବଂସ
ଶ୍ରୀକ୍ଷେତ୍ର ମହିମା, ସଂସ୍କୃତିର ଗାଥା
ସତେ ଅବା ପୋଡ଼ି ହେଲା ପାଉଁଶ।
ମେଘନାଦ ପ୍ରାଚୀର ବାହାରେ ଖୋଳା
ଯାଇଛି ଗଭୀର ପ୍ରଶସ୍ତ ଗର୍ତ୍ତ
କଳ କବଜାର ଘର୍ଘର ନାଦରେ
ଦୋଦୁଲ୍ୟମାନ ମନ୍ଦିରର କାନ୍ଥ।
ସମସ୍ତଙ୍କ ଅଜାଣତେ କୁମତି ସେ
ପ୍ରବେଶି ମଣିମାଙ୍କ ରୋଷଘରେ
ଅକାରଣେ ଭାଙ୍ଗି ଗୁଣ୍ଡ କରିଦେଲା
ରୋଷଘର ଚୁଲୀ ନିଜ ହାତରେ।
ରତ୍ନଭଣ୍ଡାରର ଚାବି ହଜିଗଲା
ଗୁମର ଏହାର ନଜାଣେ କେହି
ବାଡ଼ ଯଦି ଖାଏ କ୍ଷେତର ଫସଲ
ଜଗୁଆଳୀ ଥାଇ କି ଲାଭ ଭାଇ।
ରକ୍ଷକ ସାଜିଛି ଭକ୍ଷକ ଏଠାରେ
ଶ୍ରୀକ୍ଷେତ୍ର ଗାରିମା ମିଶେ ଧୂଳିରେ
ଶ୍ରୀମନ୍ଦିର ଆଜି ଘୋର ବିପଦରେ
ପ୍ରମାଦ ଗଣନ୍ତି ଭକ୍ତ ଅଧୀରେ।
ନୀଳାଚଳପତି ହେ ଜଗତନାଥ
କେମିତି ସହୁଛ ଏତେ ଅନୀତି
ଶ୍ରୀବତ୍ସ ବ୍ରାହ୍ମଣ ଗୋଇଠାର ପୀଡ଼ା
ଠାରୁ ବଳି ଦୁଃଖଦାୟକ ସ୍ଥିତି।
ତୁମେ ପରା ଅଟ ବିଶ୍ବର ନିୟନ୍ତା
ରକ୍ଷା କର ନିଜ ନୀଳକନ୍ଦର
ପଦ୍ମପାଦ ତଳେ ମିନତି ଏତିକି
ମହାପ୍ରଭୁ ବାରେ ଘେନା ଯେ କର ।
