ବର୍ଷାବିନ୍ଦୁ
ବର୍ଷାବିନ୍ଦୁ
ପ୍ରଥମ ବର୍ଷାର ମୁକ୍ତା ବିନ୍ଦୁ
ବାଦଲର ବୁକୁଚିରି ହୁଏ ନିମ୍ନଗାମୀ
ଜୀବନ ସଞ୍ଚାର କରେ ପ୍ରତିଟି ପ୍ରାଣରେ
ସସାଗରା ଧରା ଉତ୍ଫୁଲ୍ଲିତ ହୁଏ
ଅମ୍ବୁଦ ର ପରଶରେ।
ତୃଣରାଜି ଅଙ୍କୁରିତ ହୋଇ
ବୃଦ୍ଧିକରେ ଧରଣୀର ସବୁଜିମା।
ଦାରୁଣ ନିଦାଘର ଘର୍ମାକ୍ତ ପୀଡା
ଉପଶମ କରି ଭରିଦିଏ ଶୀତଳତା,
ଗ୍ରୀଷ୍ମ ପ୍ରକୋପରେ ନୟାନ୍ତ ଶୁଷ୍କ ବୃକ୍ଷରାଜି
ଅୟୁତଯୁଗର ମେଣ୍ଟାନ୍ତି ପିପାସା
ବାରିଦର ଟୁପୁରୁ ଟାପୁରୁ ବିନ୍ଦୁଙ୍କୁ ପାନ କରି।
ଶୀତଳ ସମୀର ବହିଆଣେ ପ୍ରେମର ପୁଲକ
ପିୟାସୀ ଆତ୍ମା ମିଳନର ପ୍ରତୀକ୍ଷାରେ
ଦିନ ଗଣୁଥାଏ ଅବରୋହଣ ଗତିରେ।
ବିହଙ୍ଗ ଜଗତ ନୀଡର ସୁରକ୍ଷାବଳୟରେ
ଆଶ୍ରାଯା'ନ୍ତି ଶାବକମାନଙ୍କୁ ନେଇ।
ଅନ୍ନଦାତା କୃଷକ ମୁଖେ ଫୁଟିଓଠେ ଚେନାଏ ହସ
ନଭକୁ ଚାହିଁଦିଏ ଧନ୍ୟବାଦ ଦେବା ଭଙ୍ଗୀରେ।
ହଳ ଲଙ୍ଗଳ ବଳଦ ପଘା ସାଥେ
ଧାଇଁଯାଏ ବିଲ ପାଖକୁ
ହିଡ ଉପରେ ଘଡିଏ ବସି ଥକା ମାରେ
ଢକଢକ କରି ପିଇଯାଏ ଲୋଟାଏ ପାଣି
ମୁଣ୍ଡରେ ଠେକା ଭିଡି ଲଙ୍ଗଳ ଜୁଆଳି ଯୋଚି
ଲାଗିପଡେ ଜମି କର୍ଷଣରେ।
ମେଘ ମଲ୍ହହାରର ତାଳେତାଳେ ଶିଖୀପୁଛ
ଉଠିଯାଏ ନୃତ୍ୟମୁଦ୍ରାରେ
ଉତ୍ତାଳ ତରଙ୍ଗ ଭରିଯାଏ ସାଗର ବକ୍ଷରେ
ଆନମନା ମନ ମତୁଆଲା ହୋଇ ଭିଜିଯାଏ
ପ୍ରଥମ ବର୍ଷାର ରିମଝିମ ଧ୍ବନୀରେ।