ପହିଲି ରଜ
ପହିଲି ରଜ
ପହିଲିରଜର ସରସତା ଆଜି ମନରୁ ଯାଇଛି ମରି
ବରଷା ସାଙ୍ଗକୁ ଏ ଲକଡାଉନ ସବୁକିଛି ଦେଲା ସାରି।
ରଜ ସଜବାଜ ମନର ମଉଜ ଫିକା ପଡିଗଲା ଯେଣୁ
ବରଷଯାକର ଅପେକ୍ଷାର ଖୁସି ପାଣିରେ ପଡିଲା ତେଣୁ।
ଗୃହବନ୍ଦୀ ହୋଇ ରହିଲେ ଲଳନା ନିଜର ଅଗଣା ଘରେ
ସାଥୀ ସହଚରୀ ସଙ୍ଗେ ଭେଟଭାଟ ରହିଗଲା ବହୁ ଦୂରେ।
ନୂଆ ବସ୍ତ୍ର ନୂଆ ଆଭୂଷଣ ସବୁ ଆକର୍ଷଣ ହରାଇଲେ
ପିଠାପଣା ନେଇ ସାହିରେ ବାଣ୍ଟିବା ମନରୁ ପାଶୋର ହେଲେ।
ଘରେ ଘରେ ଥିବା ଖୁସିର ଲହରୀ କୁଆଡେ ଉଭାନ ହେଲା
ଯେଉଁଦିନ ଆମ ଓଡିଶା ଭୂମିକୁ କରୋନା ଗ୍ରାସ କରିଲା।
ଗାଁ ଗଛଡାଳେ ବନ୍ଧା ହେଲାନାହିଁ ଛୋଟ ବଡ ରଜଦୋଳି
ପାହିମାରି ଗଗନରେ ଉଡିଲେନି ଗ୍ରାମ ର ଯେତେ ଦୁଲାଳି।
ଗାଁ ବୁଲା,ପୁଚିଖେଳର ମଜା,ରଜ ପାନଖିଆ ସବୁ ଗଲା
ଓଡ଼ିଶାର ଗଣପରବ ତାହାର ସବୁଖୁସି ହରାଇଲା।
ଆମ୍ବ,ପଣସ,ସପୁରୀ ଭରି ହୋଇ ରହିଛି ଘରେ ସବୁରି
ଯାଇ ନପାରିଲେ ବାପ ଭାଇ ମାନେ ଭାର ଥୋର ନେଇକରି।
ଶାଶୁଘରେ କେତେ ଝିଅ ଓ ଭଉଣୀ ଚାହିଁ ବସିଛନ୍ତି ବାଟ
ବାପ ଭାଇଙ୍କର ମୁହଁ ଦେଖିବାକୁ ମନ ତାଙ୍କର ଉଚ୍ଚାଟ।
ଓଢଣା ଭିତରେ ଲୁହ ଝରାଇ ପୋଛନ୍ତି ଲୁଗାର କାନିରେ
ମନକଥା ମନଭିତରେ ରଖିକି ଗୁମୁରି କାନ୍ଦନ୍ତି ଧୀରେ।
ମୁହେଁ ତୁଣ୍ଡି ବାନ୍ଧି କେତେଦିନ ଅବା ବୁଲୁଥିବା ଆମେ ସବୁ କେବେ ସାଥୀ ମେଳେ କୋଳାକୋଳି ହୋଇ ଆନନ୍ଦେ ମଗନ ହେବୁ।
ଏ ମହାମାରୀ କବଳୁ ରକ୍ଷାକର ମହାବାହୁ ଚକ୍ରଧାରୀ
ଫେରିଆସୁ ପୁଣି ଏ ଧରାଧାମକୁ ମାନବର ସୁଖଶିରୀ।