STORYMIRROR

Minakshi Samal

Inspirational Children

4  

Minakshi Samal

Inspirational Children

ଦୋଳ ପୂର୍ଣ୍ଣିମା

ଦୋଳ ପୂର୍ଣ୍ଣିମା

1 min
487


ଫଗୁଣ ପୁନେଇଁ ଆସିଥିଲା

ଖୁସିର ଫୁଆରା ଛୁଟୁଥିଲା

ପାଲିଙ୍କିରେ ବସି ଦୋଳଗୋବିନ୍ଦ ଯେ

ଘରେ ଘରେ ଭୋଗ ଖାଉଥିଲା।


ଦୋଳବେଦୀ ସାଜସଜ୍ଜା ହୋଇ

ଫୁଲର ମାଳରେ ଶୋଭାପାଇ

ଦୋଳି ପରେ ବସି ଝୁଲି ଝୁଲି କାନ୍ହା

ଚାରିଦିଗେ ଦେଖୁଥିଲା ଚାହିଁ।


ହାତେ ଧରି ଫଗୁ ଥାଳି ମାନ

ଏକୁ ଆରେକକୁ ଆଲିଙ୍ଗନ

କରି ଗ୍ରାମବାସୀ ହେଉଥିଲେ ଖୁସି

ସୁମରି ମନେ ରାଧା ମୋହନ।


ଗ୍ରାମ ନାପିତର ପୁଅ ଦୁଇ

ଫଗୁ ଖେଳିବାକୁ ହାଇଁପାଇଁ

ଫଗୁ କିଣିଲେନି ବାପା ବୋଲି ଦୁହେଁ

ଦଉଡି ଆସିଲେ ବେଦୀ ଠେଇଁ।


ଆମ ମୁଖେ ଫଗୁ ଦିଅ ବୋଳି

ବିନତି କଲେ ଯେ ବୁଲିବୁଲି

କେହି ନ ଶୁଣିଲେ ତାଙ୍କ କଥା ବାରେ

ମନଦୁଃଖେ ଦୁହେଁ ଗଲେ ଚାଲି।


ମାଆକୁ କହନ୍ତି କାନ୍ଦି କାନ୍ଦି

କୋହରେ ଗଳାଟି ଯାଏ ରୁନ୍ଧି

ରାଧା ଗୋବିନ୍ଦ କି ଆମପାଇଁ ସବୁ

ଖୁସିର ଦୁଆର ଦିଏ ବାନ୍ଧି ।


ପିଲା ମନକଥା ମା' ବୁଝିଲା

ଆଖି ଲୁହ ସବୁ ପୋଛିଦେଲା

ହଳଦୀ, ସିନ୍ଦୂର ଆଣି କି ପିଲାଙ୍କ

କପାଳେ ଓ ଗାଲେ ଲଗାଇଲା।


କହେ ପିଲାଙ୍କର ମୁହଁ ଚାହିଁ

ମନଊଣା ଧନ କରନାହିଁ 

ରାଧା ଗୋବିନ୍ଦଙ୍କ ଦୋଳପରବରେ

ଆଖିଲୁହ ତୁମ କାଇଁ ପାଇଁ।


କଳାକାନ୍ହୁ ବନ୍ଧୁ ସଭିଙ୍କର

ତାପାଖେ ନାହିଁ ଆପଣା ପର

ତାଙ୍କ ପାଖେ ଲୟ ଯେ ରଖେ ତା ଭାଗ୍ୟ

ଝଲମଲ କରେ ନିରନ୍ତର।


ମା' କଥା ଶୁଣି ଦୁଇଭାଇ

ଏକୁ ଆରେକକୁ ଦେଲେ ଚାହିଁ

ହାତଯୋଡି ଦୁହେଁ ମଥା ନତ କଲେ

'ଜୟ ଶ୍ରୀକୃଷ୍ଣ' ବୋଲି କହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational