ସପନର ମଣିଷ
ସପନର ମଣିଷ
ଶୟନେ ସପନେ ଅବା ଜାଗରଣେ
ଏ ମନ ଛବି ଆଙ୍କେ
ଅନେକ କିଛିର।
ସୁଦୃଶ୍ୟ ପ୍ରାସାଦ ଅବା
ଘନ ବୃକ୍ଷରାଜି ଘେରା ଶ୍ୟାମଳିମା
ପ୍ରସ୍ତର ପାବଚ୍ଛ ଘେରା ପଦ୍ମ ପୁଷ୍କରିଣୀ
ସାତତାଳ ପଙ୍କ ତଳେ ସୁବର୍ଣ୍ଣ ମହଲ
ଅଳିନ୍ଦରେ ଅପରୂପା ରାଜଜେମା।
ସପନର କ୍ୟାନଭାସରେ
ଦୋଳାୟମାନ ହୋଇ
ଭାସିଉଠେ ଅନେକ ଚେହେରା
ଭାବୀ ଜୀବନ ସାଥୀର।
'କନ୍ୟା ବରୟତେ ରୂପମ୍' ନ୍ୟାୟରେ
ସଂଗୋପନେ ମନ ଅଗଣାରେ
ଖୋଲିଯାଏ ମନର ମଣିଷର
ଛବିଅଙ୍କା ପୃଷ୍ଠା ପରେ ପୃଷ୍ଠା।
ସୁଠାମ ଶରୀର,ଅନବଦ୍ୟ ଅଙ୍ଗ ବଲ୍ଲରୀ
କଥା କୁହା ଆଖି ସଙ୍ଗେ ବଳିଷ୍ଠ ବ୍ୟକ୍ତିତ୍ବ
ରୋମାଞ୍ଚ ଆଣିପାରୁଥିବା ପୌରୁଷ
ଘନକୃଷ୍ଣ ଅବୟବଧାରୀ
ଅବା ସାଦା ଫିନଫିନ୍ ଇସ୍ତ୍ରୀକରା
ପୋଷାକ ପରିହିତ ଭଦ୍ର କେହିଜଣେ
ସୁଗନ୍ଧିତ ଅତରର ମହମହ ବାସ୍ନାରେ
ଆବହାଓ୍ବାକୁ ବାସ୍ନାୟିତ କରୁଥିବା ସୁପୁରୁଷ।
ଅବଶେଷେ କଳ୍ପନାର ପ୍ୟାଲେଟ୍ ଧରି
ମନର ନିର୍ଯ୍ୟାସକୁ ରଙ୍ଗ କରି
କଳ୍ପନାର ତୁଳୀରେ ଆଙ୍କିବସେ
ମନର ମଣିଷ କୁ ଗଭୀର ଆବେଗରେ।
ଖରାଛାଇର ଲୁଚକାଳି ଖେଳ ଶେଷରେ
ଅନ୍ତର୍ମନରୁ ପ୍ରତିଧ୍ୱନୀ ଶୁଣାଯାଏ
ଲୋଡା ନାହିଁ
ରୂପ , ରଙ୍ଗ ଅବା
ଅଚଳାଚଳ ସମ୍ପତ୍ତି
ବିଦେଶୀ ଆଦବକାୟଦା ଅବା
ମଲ୍ଟି ନ୍ୟାସନାଲ କମ୍ପାନୀ ଚାକିରୀ,
ଲୋଡା ନାହିଁ
ଶୀତତାପ ନିୟନ୍ତ୍ରିତ ମହଲର ତୁଳୀତଳ୍ପ ଶେଜ,
ସୁସଜ୍ଜିତ ଆଲମୀରା ଭର୍ତ୍ତି ବହୁମୂଲ୍ୟ ପରିଧାନ,
ଦାମୀ ଅତର ବା ପ୍ରସାଧନ ସାମଗ୍ରୀ
ରୋଲସ୍ ରଏସ୍ ,ଅଡ଼ି,ବି ଏମ୍ ଡବ୍ଲ୍ୟୁ ର ଧାଡି।
କି ଲାଭ ଏସବୁ ଜଡ ଏବଂ ନିଥର ବସ୍ତୁର
ଦେଇକି ପାରିବେ କେବେ
ମନ ମଣିଷର ସାନ୍ନିଧ୍ୟ?
ମନକଥା ବୁଝି ସୁଖରେ ଦୁଃଖରେ,
ବାଧା ବିପତ୍ତିରେ ,ହସ ଲୁହର
ସଂସାର ଚକରେ ପେଶି ହେଲାବେଳେ
କାନ୍ଧରେ ମଥାକୁ ରଖି
ହାତକୁ ଶକ୍ତକରି ଧରି
ପଦଟିଏ ଯଦି କହିଦିଏ ,
ପ୍ରିୟା ମୋର,ଭୟ କରନା,
ସଙ୍ଗେ ଅଛି ମିତ ତବ ଜନ୍ମ ଜନ୍ମାନ୍ତରର।
ଶତସିଂହର ବଳ ନେଇ
ଅଗ୍ରଗାମୀ ହୁଏ ଦବାକୁ
ସୁରକ୍ଷା ଅର୍ଦ୍ଧାଙ୍ଗିନୀକୁ ,
ଅନଧିକାର ଚର୍ଚ୍ଚା, କ୍ରୁଶବିଦ୍ଧ ଯନ୍ତ୍ରଣା ସମ
ଆକ୍ରୋଶମୂଳକ ଆକ୍ଷେପରୁ
ସରଳ ନିଷ୍କପଟ ଲଳନାକୁ
ମୁକୁଳାଇ ପରଶିଦିଏ
ମାନସିକ ଶାନ୍ତି।
ଜୀବନ ସାଥୀର ଅସଲି ସଂଜ୍ଞା ଏ
ଅଗ୍ନି କୁ ସାକ୍ଷୀ ରଖି
ଦାମ୍ପତ୍ୟ ଜୀବନକୁ ଆଗେଇ ନେବାର।