ପହିଲି ରଜ
ପହିଲି ରଜ
ପହିଲିରଜର ସରସତା ଆଜି ମନରୁ ଯାଇଛି ମରି
ବରଷା ସାଙ୍ଗକୁ ଏ ଲକଡାଉନ ସବୁକିଛି ଦେଲା ସାରି ।
ରଜ ସଜବାଜ ମନର ମଉଜ ଫିକା ପଡିଗଲା ଯେଣୁ
ବରଷ ଯାକର ଅପେକ୍ଷାର ଖୁସି ପାଣିରେ ପଡିଲା ତେଣୁ ।
ଗୃହବନ୍ଦୀ ହୋଇ ରହିଲେ ଲଳନା ନିଜର ଅଗଣା ଘରେ
ସାଥୀ ସହଚରୀ ସଙ୍ଗେ ଭେଟଭାଟ ରହିଗଲା ବହୁ ଦୂରେ ।
ନୂଆ ବସ୍ତ୍ର ନୂଆ ଆଭୂଷଣ ସବୁ ଆକର୍ଷଣ ହରାଇଲେ
ପିଠାପଣା ନେଇ ସାହିରେ ବାଣ୍ଟିବା ମନରୁ ପାଶୋରୀ ହେଲେ ।
ଘରେ ଘରେ ଥିବା ଖୁସିର ଲହରୀ କୁଆଡେ ଉଭାନ ହେଲା
ଯେଉଁଦିନ ଆମ ଓଡିଶା ଭୂମିକୁ କରୋନା ଗ୍ରାସ କରିଲା ।
ଗାଁ ଗଛଡାଳେ ବନ୍ଧା ହେଲାନାହିଁ ଛୋଟ ବଡ ରଜଦୋଳି
ପାହିମାରି ଗଗନରେ ଉଡିଲେନି ଗ୍ରାମର ଯେତେ ଦୁଲାଳି ।
ଗାଁ ବୁଲା,ନୂଆ ବୋହୂଦେଖା,ରଜ ପାନଖିଆ ସବୁ ଗଲା
ଓଡ଼ିଶାର ଗଣପରବ ତାହାର ସବୁଖୁସି ହରାଇଲା ।
ଆମ୍ବ,ପଣସ,ସପୁରୀ ଭରି ହୋଇ ରହିଛି ଘରେ ସବୁରି
ଯାଇ ନପାରିଲେ ବାପ ଭାଇ ମାନେ ଭାର ଥୋର ନେଇକରି ।
ଶାଶୁଘରେ କେତେ ଝିଅ ଓ ଭଉଣୀ ଚାହିଁ ବସିଛନ୍ତି ବାଟ
ବାପ ଭାଇଙ୍କର ମୁହଁ ଦେଖିବାକୁ ମନ ତାଙ୍କର ଉଚ୍ଚାଟ ।
ଓଢଣା ଭିତରେ ଲୁହ ଝରାଇ ପୋଛନ୍ତି ଲୁଗାର କାନିରେ
ମନକଥା ମନଭିତରେ ରଖିକି ଗୁମୁରି କାନ୍ଦନ୍ତି ଧୀରେ ।
ମୁହେଁ ତୁଣ୍ଡି ବାନ୍ଧି କେତେଦିନ ଅବା ବୁଲୁଥିବା ଆମେ ସବୁ
କେବେ ସାଥୀ ମେଳେ କୋଳାକୋଳି ହୋଇ ଆନନ୍ଦେ ମଗନ ହେବୁ।
ଏ ମହାମାରୀ କବଳୁ ରକ୍ଷାକର ମହାବାହୁ ଚକ୍ରଧାରୀ
ଫେରିଆସୁ ପୁଣି ଏ ଧରାଧାମକୁ ମାନବର ସୁଖଶିରୀ ।
