ମନପବନ ଘୋଡ଼ା
ମନପବନ ଘୋଡ଼ା


ଉଗ୍ର ଆଧୁନିକ ରଙ୍ଗୀନ ଧବଳ
ଚିତ୍ରଲେଖା ସମ ପରୀ
ତା'ସାଥେ ପ୍ରଣୟ ବିରହ ପ୍ରବଳ
ଭାଷାଗତ ତ୍ରୁଟି ଭରି ।
ସଉକେ ନିଜର ଖିଆଲି ମନରେ
କଥା ଯାହା ଝରି ଆସେ
ସଜାଡିଲେ ସବୁ କବିତା ପଣରେ
ସାହିତ୍ୟ ଭଳିଆ ବାସେ ।
ଭାବନା ତାହାର ସାରସ୍ୱତ ହୋଇ
ତୋଷାମଦିଆଙ୍କ ମେଳେ
କବିର ରାଇଜେ ପ୍ରିୟାପ୍ରୀତି ଥୋଇ
ସଂକ୍ରମିତ ହୋଇ ଖେଳେ ।
ସମାଜ ଦୁର୍ଦ୍ଦଶା କିଏ ଅବା ଦେଖେ
କେଉଁଠି ଭୋକର ଦାଉ
ଶିଳ୍ପୀର ନିହାଣେ କିଏ କାହିଁ ଲେଖେ
ଜୀବନଚର୍ଯ୍ୟାକୁ ଆଉ ।
ପୁରାତନ କବି ପିତୃଲୋକେ ରହି
ମନେ ଭାଳୁଥିବେ କିସ
ଶବ୍ଦ ମରିଗଲେ ପାରିବେ କି ସହି
ଏ ତ ହଳାହଳ ବିଷ ।
କବିର ଉପାଧି ନାଆଁ ପଛେ ଯୋଡି
ମାତୃଅଙ୍ଗ କରି ଭାଗ
ଅଯୋଗ୍ୟ ସନ୍ତାନ କେଉଁ ସ୍ୱାର୍ଥ ଲୋଡି
ବେସୁରା ତୋଳନ୍ତି ରାଗ ।
ପାଠକେ ଯାହାର ପ୍ରଶଂସକ ସାଜି
ଜଗତେ ପକାନ୍ତି ହୁରି
ଦୋଷ ବା କାହାର କିଏ ଜାଣେ ଆଜି
କଦର୍ଥନେ ବାହାଦୁରୀ ।
ଚାଲିଛି ତ ବେଗେ ବିବର୍ତ୍ତନ ଧାରା
ମନପବନର ଘୋଡ଼ା
ବାଣୀର ଭବନେ ପ୍ରଦୂଷଣ ସାରା
ସଂସ୍କୃତି କି ଆଉ ଲୋଡା ।
ପ୍ରସନ୍ନ କୁମାର ମାଦଳା