ମଣିଷ ଜୀବନ
ମଣିଷ ଜୀବନ
ମଣିଷ ଜୀବନ ଥରଟେ ଲଭିଛ
କାଳିଆ ଆଶିଷ ବଳେ
ସେଇ ଥରକ ବି ଯଥେଷ୍ଟ ହୋଇବ
ସତ୍ କର୍ମ କରି ଗଲେ ।।
ସବୁ ମଣିଷର ରକତ ସମାନ
ସର୍ବେ ଇଶ୍ବର ସନ୍ତାନ
ତେବେ କହ ଭାଇ ଜାତି ଧର୍ମ ନାମେ
କର କିମ୍ପା ବିଭାଜନ।।
ମସଜିଦ୍ ଗୀର୍ଜା ମନ୍ଦିର ବିହାର
ଭାବ କେହ୍ନେ ଅସମାନ
ଅନୁଭବ ଲାଗି ଈଶ୍ବରଙ୍କ ସତ୍ତା
ଉଦ୍ଦିଷ୍ଟ ଅଟେ ସେ ସ୍ଥାନ ।।
ମସଜିଦ୍ ଗୀର୍ଜା ମନ୍ଦିର ବିବାଦ
କହ ତେବେ କିସ ପାଇଁ
ଇଶ୍ବର କେବଳ ସେଠାରେ ରହନ୍ତି
ତାହାର ପ୍ରମାଣ ନାହିଁ ।।
ଜଳ ସ୍ଥଳ ବ୍ୟୋମ ଗିରି ବନ ଦେଶ
ସବୁଠି ବିଭୁ ପ୍ରକାଶ
ସକଳ ଘଟରେ ବିଜେ ନାରାୟଣ
ପରମାତ୍ମାଙ୍କ ନିବାସ ।।
ନିଜ ଅନ୍ତରରେ ଇଶ୍ବରଙ୍କ ସତ୍ତା
ଅନୁଭବ କର ତୁମେ
ଚିନ୍ତା ଚୈତନ୍ୟକୁ ବିଭୁ ଅଭିସାରୀ
ତରଙ୍ଗ କରହେ ତୁମେ ।।
ଇଶ୍ୱରୀୟ ଗୁଣ ତୁମରି ମଧ୍ଯରେ
ଭରିଦିଅ ଆଗ୍ରହରେ
ପ୍ରତି ପ୍ରାଣୀ ଦେହେ ପରମାତ୍ମା ସତ୍ତା
ଅନୁଭବ କର ବାରେ ।।
ସମଗ୍ର ଜଗତ ଇଶ୍ବରଙ୍କ ସୃଷ୍ଟି
ସବୁଠି ଥାଆନ୍ତି ଯିଏ
ନିରାକାର ସିଏ ନିରାଧାର ନୁହେଁ
ଭକତିରେ ବନ୍ଧା ସିଏ ।।
ସୃଷ୍ଟି ଯାହାର ଉଜ୍ଜ୍ଜଳ ଆଲୋକେ
ସେ କି ଅନ୍ଧକାରେ ରହେ
ମନ୍ଦିର ଭିତର ଅନ୍ଧାର ଭିତରେ
କାହାକୁ ତୁମେ ଖୋଜହେ?
ଏଇ ପୃଥିବୀରେ ମଣିଷ ଜୀବନ
କରମର ସମାବେଶ
ଏନ୍ତୁଡି ଶାଳରୁ ଆରମ୍ଭ ହୋଇଣ
ଶ୍ମଶାନରେ ହୁଏ ଶେଷ ।।
ଜନ୍ମରୁ ମୃତ୍ୟ
ୁର ଅବଧି ଭିତରେ
ଇଶ୍ବର ଯୋଜନା ମତେ
ସତ୍ କର୍ମମାନ କରିବାକୁ ହେବ
ସତ୍ୟ ଧର୍ମ ନ୍ୟାୟ ପଥେ ।।
ଜୀବନ ଅବଧି ଗଣା ହୁଏ ସିନା
ବର୍ଷ ମାସ ଦିନ ଦଣ୍ଡେ
କରମର ବଳେ ବଞ୍ଚି ପାରେ ନର
ଚିର କାଳ ଏ ଭୂଖଣ୍ଡେ ।।
ତେଣୁ ରେ ମାନବ ମାନବୀୟ ଭାବ
ସର୍ବଦା ହୃଦରେ ବହି
ପ୍ରତି ମାନବକୁ ସମାନ ମଣିଣ
ଭେଦ ଭାବ ରଖନାହିଁ ।।
ଧର୍ମର ନାମରେ ଅଧର୍ମ ଆଚରି
ବିଭୁ ଲାଭ ହୁଏ ନାହିଁ
ସକଳ ଧର୍ମର ଆଦର କରିଲେ
ବିଭୁ କୃପା ମିଳେ ଭାଇ ।।
ସଭିଙ୍କ ମାଲିକ ଅଟନ୍ତି ଇଶ୍ବର
ସଭିଏଁ ତାଙ୍କ ସନ୍ଧାନ
ତାଙ୍କରି ନିର୍ଦ୍ଦେଶ ଜଗତ ଚାଲୁଛି
ସେ ନିର୍ଦ୍ଦେଶ ତୁମେ ମାନ।।
ସତ୍ୟ ଧର୍ମ ପଥେ ଦେଇ ମନ ପ୍ରାଣ
ସତ୍ କର୍ମେ ଦିଅ ମନ
ଅସତ୍ ଅଧର୍ମ କାର୍ଯ୍ୟରୁ ନିବୃତ୍ତ
ହୁଅ ସର୍ବେ ଜନଗଣ ।।
ମାନବ ଜୀବନ ଲଭିଛ ଭୂଖଣ୍ଡେ
କେତେ ଯେ ଜନମ ପରେ!
ସେହି ଜୀବନକୁ ଶ୍ରେଷ୍ଠତ୍ୱ ଦିଅହେ
ଭବ ରଙ୍ଗ ମଞ୍ଚପରେ ।।
ବିଭୁଙ୍କ ରଚିତ ଜୀବନ ନାଟକେ
ନିଜ ଅଭିନୟ କର
ନିଜ ଅଭିନୟ ଠିକ୍ ଭାବେ କରି
ଲଙ୍ଘ ଭବ ପାରାବାର।।