ମଣିଷ ଜୀବନ ପାଣି ଫୋଟକା
ମଣିଷ ଜୀବନ ପାଣି ଫୋଟକା
ଭବ ପାରାବାରେ ଜନ୍ମ ନିଏ ନର
ପାଣି ଫୋଟକାଟେ ପରି
ଦେଖା ଦେଇ କେବେ ଉଭାଇ ଯାଏ ସେ
କାହାକୁ ଥାଏ ପଚାରି ।
ମଣିଷ ଜୀବନ ପାଣି ଫୋଟକାଟେ
କ୍ଷଣେ ଅଛି କ୍ଷଣେ ନାହିଁ
ସେ ହିସାବ ଖାତା କେହି ଦେଖି ନାହିଁ
କେବେ ଛାଡିବ ଏ ମହୀ ।
ମୃତ୍ୟୁ ଚିରନ୍ତନ ନ ଦିଏ ଶମନ
କ୍ଷଣକେ ପହଞ୍ଚି ଯାଏ
ନଶ୍ଵର ଶରୀର ପଡ଼ି ରହେ ଖାଲି
ଆତ୍ମା ନୀଡ ଛାଡିଯାଏ ।
ମଣିଷ ଜୀବନ ପାଣି ଫୋଟକା ଟେ
ଏଇ ଅଛି ଏଇ ନାହିଁ
ବେଳ ଥାଉ ଥାଉ ଜୀବନ ତତ୍ତ୍ଵକୁ
ବୁଝିବାର ବେଳ ଏଇ ।
ଅତୀତ ଯାଇଛି ସ୍ମୃତିର ଗରଭେ
ଆଗତ କଥା କେ ଜାଣେ
ବର୍ତ୍ତମାନ ଅଟେ ସୁସମୟ ପରା
ଏଇ କ୍ଷଣେ ନର ବଞ୍ଚେ ।
ବର୍ତ୍ତମାନଟିର ସଦୁପଯୋଗ ରେ
ଆଗତ ହସି ଉଠିବ
ପାଣି ଫୋଟକା ଏ ମଣିଷ ଜୀବନ
ସଙ୍ଗେ କିଛି ବି ନିଯିବ ।
ଗର୍ବ, ଅହଙ୍କାର , ଲୋଭ ହିଂସା, କ୍ରୋଧ
ସବୁ ନିର୍ଲିପ୍ତ ହୋଇବେ
ସୁନ୍ଦର ଶରୀର ଦୁର୍ଗନ୍ଧେ ଭରିବ
ଶ୍ମଶାନ ଘାଟେ ନ ଗଲେ ।
ଧନ ଅରଜନେ ସମୟ ଦେଇ ଯେ
ପାପ କିମ୍ବା ଅରଜିବା
ଛ'ଖଣ୍ଡ ବାଉଁଶ ରାମ ନାମ ସତ୍ୟ
ସଙ୍ଗେ ତ କେବଳ ନେବା ।
ମଣିଷ ଜୀବନ ଶ୍ରେଷ୍ଠ ସୃଷ୍ଟି ପରା
ଲକ୍ଷ୍ୟ ତାହାର ବୁଝିବା
ବର୍ତ୍ତମାନଟିକୁ ଉଚିତ୍ ମାର୍ଗରେ
ନେଇ ଆମେ ଯେ ଚାଲିବା ।
ବର୍ତ୍ତମାନଟିର ପତରେ ପତରେ
କର୍ମ କର୍ତ୍ତବ୍ୟ ଲେଖିବା
ଶାଖା ପ୍ରଶାଖାରେ ସତ୍ୟ , ଦୟା, କ୍ଷମା
ଅଭିଲେଖ ରେ ଭରିବା ।
ସେବା ମନୋବୃତ୍ତି ସାର ଦେଇ ତାକୁ
ହୃଷ୍ଟପୁଷ୍ଟ କରିଦେବା
ଏ କ୍ଷଣ ସଜାଡି ଦେଉ ଦେଉ ଆମେ
ସନ୍ତୁଷ୍ଟି ଯେ ସାଉଁଟିବା ।
ମଣିଷ ଜୀବନ ପାଣି ଫୋଟକା ଯେ
କ୍ଷଣେ ଅଛି କ୍ଷଣେ ନାହିଁ
ବେଳ ଥାଉ ଥାଉ ସଜାଗ ହେବାରେ
ମଣିଷ ପଣିଆ ଦେଇ ।
ମଣିଷ ଜୀବନ ଦୁର୍ମୂଲ୍ୟ ଅଟଇ
ଇଶ୍ଵରଙ୍କ ଶ୍ରେଷ୍ଠ ସୃଷ୍ଟି
ଆମରି ପରଶେ ଏ ଧରାରେ ହେବ
ଆନନ୍ଦର ସଦା ବୃଷ୍ଟି ।
ମୃତ୍ୟୁ ନିରନ୍ତନ ଜୀବନେ ଆସିବ
ସାଥିରେ ନ ନେବା କିଛି
ମଣିଷ ପଣିଆ ବଂଚି ରହିବ ଯେ
ପଞ୍ଚଭୂତେ ଗଲେ ମିଶି ।
ମଣିଷ ଜୀବନ ପାଣି ଫୋଟକା ଯେ
ଅଚିରେ ମିଳେଇ ଯିବା
ସୁକର୍ମ ବଳରେ ଏ ଭବ ଧାମରେ
ମରି ବି ଅମର ହେବା ।
ବେଳ ଥ।ଉଁ ଚାଲ ସଜାଗ ହେବାରେ
ଜନ୍ମ ସାର୍ଥକ କରିବା
ଶ୍ରେଷ୍ଠ ସୃଷ୍ଟି ଭାବେ ପ୍ରଭୁ ଛାଡ଼ିଛନ୍ତି
ତାଙ୍କୁ ଖୁସି କରି ଦେବା ।
ମଣିଷ ଜୀବନ ପାଣି ଫୋଟକା ଯେ
ଏବେ ଅଛି ଏବେ ନାହିଁ
ମୃତ୍ୟୁକୁ ନ ଡରି ସତ୍ କର୍ମ ବଳରେ
ନିଜେ ହେବା ବଳଶାଳୀ ।
ମଣିଷ ଜୀବନ ପାଣି ଫୋଟକାଟେ
ସଦୁପଯୋଗ କରିବା
ମୃତ୍ୟୁ କବଳିତ ଶରୀର ହୋଇବ
ସତ୍ କର୍ମେ ବଞ୍ଚି ରହିବା
