STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ମଣିଷ ଜୀବନ ପାଣି ଫୋଟକା

ମଣିଷ ଜୀବନ ପାଣି ଫୋଟକା

2 mins
250


ଭବ ପାରାବାରେ ଜନ୍ମ ନିଏ ନର

ପାଣି ଫୋଟକାଟେ ପରି

ଦେଖା ଦେଇ କେବେ ଉଭାଇ ଯାଏ ସେ

କାହାକୁ ଥାଏ ପଚାରି ।


ମଣିଷ ଜୀବନ ପାଣି ଫୋଟକାଟେ

କ୍ଷଣେ ଅଛି କ୍ଷଣେ ନାହିଁ

ସେ ହିସାବ ଖାତା କେହି ଦେଖି ନାହିଁ

କେବେ ଛାଡିବ ଏ ମହୀ ।


ମୃତ୍ୟୁ ଚିରନ୍ତନ ନ ଦିଏ ଶମନ

କ୍ଷଣକେ ପହଞ୍ଚି ଯାଏ

ନଶ୍ଵର ଶରୀର ପଡ଼ି ରହେ ଖାଲି

ଆତ୍ମା ନୀଡ ଛାଡିଯାଏ ।


ମଣିଷ ଜୀବନ ପାଣି ଫୋଟକା ଟେ

ଏଇ ଅଛି ଏଇ ନାହିଁ

ବେଳ ଥାଉ ଥାଉ ଜୀବନ ତତ୍ତ୍ଵକୁ

ବୁଝିବାର ବେଳ ଏଇ ।


ଅତୀତ ଯାଇଛି ସ୍ମୃତିର ଗରଭେ

ଆଗତ କଥା କେ ଜାଣେ

ବର୍ତ୍ତମାନ ଅଟେ ସୁସମୟ ପରା

ଏଇ କ୍ଷଣେ ନର ବଞ୍ଚେ ।


ବର୍ତ୍ତମାନଟିର ସଦୁପଯୋଗ ରେ

ଆଗତ ହସି ଉଠିବ

ପାଣି ଫୋଟକା ଏ ମଣିଷ ଜୀବନ

ସଙ୍ଗେ କିଛି ବି ନିଯିବ ।


ଗର୍ବ, ଅହଙ୍କାର , ଲୋଭ ହିଂସା, କ୍ରୋଧ

ସବୁ ନିର୍ଲିପ୍ତ ହୋଇବେ

ସୁନ୍ଦର ଶରୀର ଦୁର୍ଗନ୍ଧେ ଭରିବ

ଶ୍ମଶାନ ଘାଟେ ନ ଗଲେ ।


ଧନ ଅରଜନେ ସମୟ ଦେଇ ଯେ

ପାପ କିମ୍ବା ଅରଜିବା

ଛ'ଖଣ୍ଡ ବାଉଁଶ ରାମ ନାମ ସତ୍ୟ

ସଙ୍ଗେ ତ କେବଳ ନେବା ।


ମଣିଷ ଜୀବନ ଶ୍ରେଷ୍ଠ ସୃଷ୍ଟି ପରା

ଲକ୍ଷ୍ୟ ତାହାର ବୁଝିବା

ବର୍ତ୍ତମାନଟିକୁ ଉଚିତ୍ ମାର୍ଗରେ

ନେଇ ଆମେ ଯେ ଚାଲିବା ।


ବର୍ତ୍ତମାନଟିର ପତରେ ପତରେ

କର୍ମ କର୍ତ୍ତବ୍ୟ ଲେଖିବା

ଶାଖା ପ୍ରଶାଖାରେ ସତ୍ୟ , ଦୟା, କ୍ଷମା

ଅଭିଲେଖ ରେ ଭରିବା ।


ସେବା ମନୋବୃତ୍ତି ସାର ଦେଇ ତାକୁ

ହୃଷ୍ଟପୁଷ୍ଟ କରିଦେବା 

ଏ କ୍ଷଣ ସଜାଡି ଦେଉ ଦେଉ ଆମେ

ସନ୍ତୁଷ୍ଟି ଯେ ସାଉଁଟିବା ।


ମଣିଷ ଜୀବନ ପାଣି ଫୋଟକା ଯେ

କ୍ଷଣେ ଅଛି କ୍ଷଣେ ନାହିଁ

ବେଳ ଥାଉ ଥାଉ ସଜାଗ ହେବାରେ

ମଣିଷ ପଣିଆ ଦେଇ ।


ମଣିଷ ଜୀବନ ଦୁର୍ମୂଲ୍ୟ ଅଟଇ

ଇଶ୍ଵରଙ୍କ ଶ୍ରେଷ୍ଠ ସୃଷ୍ଟି

ଆମରି ପରଶେ ଏ ଧରାରେ ହେବ

ଆନନ୍ଦର ସଦା ବୃଷ୍ଟି ।


ମୃତ୍ୟୁ ନିରନ୍ତନ ଜୀବନେ ଆସିବ

ସାଥିରେ ନ ନେବା କିଛି

ମଣିଷ ପଣିଆ ବଂଚି ରହିବ ଯେ

ପଞ୍ଚଭୂତେ ଗଲେ ମିଶି ।


ମଣିଷ ଜୀବନ ପାଣି ଫୋଟକା ଯେ

ଅଚିରେ ମିଳେଇ ଯିବା

ସୁକର୍ମ ବଳରେ ଏ ଭବ ଧାମରେ

ମରି ବି ଅମର ହେବା ।


ବେଳ ଥ।ଉଁ ଚାଲ ସଜାଗ ହେବାରେ

ଜନ୍ମ ସାର୍ଥକ କରିବା

ଶ୍ରେଷ୍ଠ ସୃଷ୍ଟି ଭାବେ ପ୍ରଭୁ ଛାଡ଼ିଛନ୍ତି

ତାଙ୍କୁ ଖୁସି କରି ଦେବା ।


ମଣିଷ ଜୀବନ ପାଣି ଫୋଟକା ଯେ

ଏବେ ଅଛି ଏବେ ନାହିଁ

ମୃତ୍ୟୁକୁ ନ ଡରି ସତ୍ କର୍ମ ବଳରେ

ନିଜେ ହେବା ବଳଶାଳୀ ।


ମଣିଷ ଜୀବନ ପାଣି ଫୋଟକାଟେ

ସଦୁପଯୋଗ କରିବା

ମୃତ୍ୟୁ କବଳିତ ଶରୀର ହୋଇବ

ସତ୍ କର୍ମେ ବଞ୍ଚି ରହିବା


Rate this content
Log in

Similar oriya poem from Inspirational