STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମଙ୍ଗଳମୟୀ ମା ଦୁର୍ଗା

ମଙ୍ଗଳମୟୀ ମା ଦୁର୍ଗା

2 mins
279


ମଙ୍ଗଳମୟୀ ମା ଦୁର୍ଗା ଘେନ ନିବେଦନ

ନିବେଦନ ସହ ତୋ ପାଦ ତଳରେ ମଥାନ 

ଏହି ପାର୍ବଣରେ ଏ ଧରାକୁ ହେଉ ଆଗମନ

ବିଜୟା ଦଶମୀରେ ଦଶ ଦୋଷ କର ନିବାରଣ

ଶାନ୍ତି ମୈତ୍ରୀ ପ୍ରେମ ରଜ୍ଜୁରେ ଛନ୍ଦ ଏ ଭୁବନ

ସୁଖ ଶାନ୍ତି ପାଇଁ ମା' ମଙ୍ଗଳାଙ୍କୁ କରୁଛୁ ଜଣାଣ ।


ଅହଂକାର ଭରି ଅଛି ଏଇ ସମାଜରେ

ଅହଂ ଭାବ ଆଜିକାଲି ସଭିଙ୍କ ମନରେ

ନିଜକୁ ନିଜେ ବଡ ବୋଲି ମନେ ମନେ ଗର୍ବ

ନିଜର ହିଁ ଜିଦ୍, ନାହିଁ ଅନ୍ୟ ପ୍ରତି ପ୍ରେମ ଭାବ

ହରଣ କରି ଦିଅ ମା ଏହି ଅହଂ ଭାବନା

ପରସ୍ପର ପ୍ରତି ରହୁ ପ୍ରେମ ଓ ସମବେଦନା।


ନିଷ୍ଠୁର ହୃଦୟ ,ସମାଜର କୋଣେ ଅନୁକୋଣେ

ନିରୀହ ଜୀବଜନ୍ତୁଙ୍କ ପ୍ରାଣ ହାନୀ ହୁଏ ପ୍ରତିକ୍ଷଣେ

ଜୀବେ ଦୟା ମନୋଭାବ ଲୁପ୍ତ ହୋଇଅଛି

ଶ୍ରେଷ୍ଠ ଜୀବ ମଣିଷ ସବୁ ଜୀବଜନ୍ତୁ ଭକ୍ଷଣ କରୁଛି

କୃପା କରି ନାଶ କର ଏହି ନିଷ୍ଠୁରତା ମନୋଭାବ

ଲୋପ ପାଉ,ସମାଜରେ ଜୀବ ହତ୍ୟା ମନୋଭାବ।


ଅନ୍ୟାୟ ,ଆଜିକାଲି ଚରମ ସୀମାରେ

ଜୋର୍ ଯା'ର ମୁଲକ ପ୍ରତ୍ୟେକ କ୍ଷେତ୍ରରେ

ସତ୍ୟ ଧର୍ମର ସଂଜ୍ଞା ଲୋପ ପାଉଅଛି

ମିଛର ରାଜୁତି ଚାରିଆଡ଼େ ବ୍ୟାପି ଅଛି

ଏ ଅନ୍ୟାୟ ରାଜୁତି ହେଉ ଅବସାନ

କୃପା କରି ପାପୀ ମାନଙ୍କୁ କରନ୍ତୁ ନିଧନ।


କାମନା ବାସନାରେ ଜର୍ଜରିତ ମାନବ ସମାଜ

ମା ଝିଅ ବୋହୁ ନିର୍ଯାତନାର ଶିକାର ହୁଏ ଆଜ

ଦୁଷ୍କର୍ମ ବ୍ୟଭିଚାର ହେଉଛି ପ୍ରତି ମୁହୂର୍ତ୍ତରେ

ନିରୀହ ଜୀବନ ଶେଷ ହେଉଛି ପାପୀ କବଳରେ

କାମନା ବାସନାର ମନୋଭାବ ଦୂର ହେଉ

କୃପା କରି କଳିକାଳ ରାବଣଙ୍କୁ ନିପାତ କରାଯାଉ।


କ୍ରୋଧ ନିଆଁରେ ଜଳୁଛି ଆଧୁନିକ ଭଦ୍ର ସମାଜ

ଟିକିଏ କଥାରେ ହତ୍ୟା ପାଇଁ ଚାଲେ ସଜବାଜ

ବୁଝିବାର ଶକ୍ତି ମଣିଷ ହରାଇ ବସିଛି

ନିଶା ସେବନ କରି ହିତାହିତ ଜ୍ଞାନ ଭୁଲିଅଛି

ମାଦକ ଦ୍ରବ୍ୟ ସେବନ ବଢ଼ାଉଛି କ୍ରୋଧ

କୃପା କରି ଏ ନିଶାଡ଼ିଙ୍କୁ କର ବୋଧ ଅବା ବଧ।


ଲୋଭ ଆଜି ଘେରି ଅଛି ପ୍ରତ୍ୟେକ ମନରେ

ରାତା-ରାତି ଧନୀ ହେବା ଚିନ୍ତା,ବିନା ପରିଶ୍ରମରେ

କଳାଧନ ହେଉ ଅବା ଅନୀତି କାମରେ

ଲିପ୍ତ ରହି ଏ ମଣିଷ ଲୋଭର ଛାୟାରେ

କୃପା ଦୃଷ୍ଟି ରଖି , ଏ ଲୋଭକୁ ଦିଅ ମା ହଟେଇ

ଲୋଭୀ ମଣିଷଙ୍କୁ ଥରେ ଦିଅ ମା ଚେତେଇ।


ଗର୍ବରେ ଛାତି ଫୁଲେଇ ଏ ଯୁବ ସମାଜ

ଗୁରୁଜନ ମାନଙ୍କୁ ହେୟ ଜ୍ଞାନ ଆଜ

ଉଚ୍ଚ ପଦବୀରେ ଥାଇ ବି ମନରେ ଗର୍ବ ଭାବନା

ହିନ ଦୃଷ୍ଟିରେ ଦେଖୁଛନ୍ତି ହୋଇ ଗର୍ବୀ ମନା

ଗର୍ବ-ନାଶିନୀ ମା' ସେଇ ଗର୍ବ ଖର୍ବ କର

ତୋର ପାଦ ପଦ୍ମେ ମନ ରହୁ ନିରନ୍ତର।


ଈର୍ଷା ହିଂସାରେ ଆତଯାତ ଏ ମଣିଷ

ଅନ୍ୟର ଉନ୍ନତି ଦେଖି ମନ ମନେ ଈର୍ଷା ଚାଷ

ପରିଣତି ଭୟଙ୍କର ସେ ହିଂସା ଈର୍ଷାର

ନିଜର ହିଁ କ୍ଷତି ହେଉଛି ହିଂସା ପ୍ରଭାବର

ତୋ ପାଦ ତଳେ କରୁଛୁ ଦୟିନୀ

ମଣିଷ ମନରେ ହିଂସା ଈର୍ଷା ଦୂର କର ଏହି କ୍ଷଣି।


ମୋହ ମାୟାରେ ପୀଡ଼ିତ ଏ ଜନ ସମାଜ

ପାର୍ଥିବ ଓ ଭୌତିକ ବସ୍ତୁରେ ମୋହ ସର୍ବେ ଆଜ

ଜ୍ଞାନ ଚକ୍ଷୁ ଖୋଲିବାକୁ ସାହା ହୁଅ ମା

ମୋହ ଫେଡି ହୃଦୟରେ ବହୁ ଆଧ୍ୟାତ୍ମିକ ବାଆ।


ସ୍ବାର୍ଥ ଓ ସ୍ୱାର୍ଥପରତା ଘରେ ଓ ବାହାରେ

ନିଜ କଥା ଚିନ୍ତା ,ନିଜର ସୁବିଧା ,ନିଜ ପରିବାର

ସବୁ କଥା ଓ କାମରେ ମୋର ମୋର

ମୋର ସବୁ କହି କହି ,ହେଉଅଛି ଛାରଖାର

ହାତ ଯୋଡ଼ି ନିବେଦନ,ଆଶିଷ କର ମା ପ୍ରଦାନ

ଦାରିଦ୍ର୍ୟ ସେବା ପାଇଁ ବ୍ୟସ୍ତ ରହୁ ଏ ଜୀବନ ।


ମା ଅଭୟଦାୟିନୀ,ଦୁର୍ଗତିନାଶିନୀ

ଦଶ ଦୋଷ ନାଶ ପାଇଁ କରୁଛୁ ଦୟିନୀ

ପଥ ହୁଡ଼ି ଏ ସଂସାର ମାୟାରେ ମୋହିତ

ତୁମ କୃପା ଲଭି,ମଣିଷ ସମାଜ ହେଉ ପାପମୁକ୍ତ।

ମଙ୍ଗଳମୟୀ ମା ଦୁର୍ଗା, ମନାସି କରୁଅଛୁ ପୂଜା

ମଙ୍ଗଳ ମନାସି ତୋ କୃପା ଭିକ୍ଷା କରେ ରାଜା ପ୍ରଜା

ମା' ର ମମତା ଆଉ କାନି ପଣତ ଘୋଡେ଼ଇ

ଅସହାୟ ସନ୍ତାନ ତୋର ମଙ୍ଗଳ ଆଶିଷ ଲୋଡ଼ଇ

ମଙ୍ଗଳକାରୀ ଦୁର୍ଗାଙ୍କୁ ହିଁ ଜଣା ମଙ୍ଗଳ ଭାବନା

କଳୁଷିତ ସମାଜର ମଙ୍ଗଳ ପାଇଁ କରୁଛୁ ପ୍ରାର୍ଥନା।



Rate this content
Log in

Similar oriya poem from Abstract