ମଙ୍ଗଳମୟ ଶ୍ରୀ ଗଣପତି
ମଙ୍ଗଳମୟ ଶ୍ରୀ ଗଣପତି
ମଙ୍ଗଳମୟ ହେ ପ୍ରଭୁ ଶ୍ରୀ ଗଣେଶ
ସବୁ ଶୁଭ କର୍ମେ ଆଗ
କଳସ ବସାଇ ହୁଏ ତୁମ ପୂଜା
ହେ ମଙ୍ଗଳକାରି ଦେବ।
ପାର୍ବତୀଙ୍କ ଅଙ୍ଗରାଗରୁ ଜନମ
ବିଷ୍ଣୁ ଦେଲେ ଜୀବନ୍ୟାସ
ଗୁମ୍ଫାଦ୍ଵାର ଜଗାଇ ମାତା ଚଳିଲେ
କାହାକୁ ନାହିଁ ପ୍ରବେଶ।
ମହାଦେବଙ୍କୁ ଯେ ମନା କରିବାରୁ
କାଟିଦେଲେ ତୁମ ଶିର
ପାର୍ବତୀ ଆସିଣ କହିଲେ ମୋ ପୁତ୍ର
ଲଗାଇଲେ ହସ୍ତୀ ଶିର।
ସେହିଦିନୁ ଗଜାନନ ନାମ ହେଲା
ସର୍ବତ୍ର ହେଲ ପୂଜିତ
ବୁଦ୍ଧି ବଳେ ବଡ଼ ଭାଇଙ୍କୁ ହରାଇ
ହୋଇଲ ଅଗ୍ର ପୂଜିତ।
ଜ୍ଞାନ ବିଦ୍ୟା ଦାତା ପ୍ରଭୂ ଶ୍ରୀ ଗଣେଶ
ମୋଦକ ପ୍ରିୟ ତୁମର
ମୂଷିକ ବାହନ ଜୟ ଲମ୍ବୋଦର
ବିଦ୍ୟା ବୁଦ୍ଧି ଦାନ କର।
ପାଶ ଓ ଅଙ୍କୁଶ ଶ୍ରୀ ହସ୍ତରେ ଶୋହେ
କଣ୍ଠରେ ମୁକ୍ତାର ହାର
ଯଜ୍ଞଉପବୀତ ସ୍କନ୍ଧରେ ଶୋଭିତ
ମୁକୁଟ ଶୋଭେ ଶିରର।
ତୁମ ଦୟା ହେଲେ ମୂର୍ଖ ହୁଏ ଜ୍ଞାନୀ
ଆହେ ପ୍ରଭୁ ବିନାୟକ
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ
ପୂଜା ପାଅ ଯେ ଭୂଲୋକ।
ଛାତ୍ର ଛାତ୍ରୀ ପୁଣି ବ୍ୟବସାୟୀ ମାନେ
କରିଥାନ୍ତି ତୁମ ପୂଜା
ଆମ୍ବ ତୋରଣରେ ସଜାଇ ସ୍କୁଲକୁ
ଭକ୍ତି ଭାବନାରେ ପୂଜା।
ଜୟ ଜୟ ଦେବ ବିଘ୍ନ ବିନାଶନ
ନମୋ ନମୋ ଲମ୍ବୋଦର
ଅଜ୍ଞାନ ଅନ୍ଧାର ଦୂର କରି ବିଶ୍ୱେ
ଜ୍ଞାନାଲୋକ ଦାନ କର।
