ମନ
ମନ
ମନ ହିଁ ବନ୍ଧନ କାରଣ
ମନ ହିଁ ମୋକ୍ଷର କାରଣ ।।୧।।
ଏ ମନ ସ୍ୱଭାବେ ଚଞ୍ଚଳ
କେବେହେଁ ନୁହଁଇ ନିଶ୍ଚଳ ।।୨।।
କ୍ଷଣେ ଭ୍ରମଇ ବିଶ୍ବେ ମନ
ଗତି ବୁଝିବା ବିଡମ୍ବନ ।।୩।।
ଗୀତାରେ କୃଷ୍ଣ ଭଗବାନ
ବୋଲନ୍ତି ମନର ସାଧନ ।।୪।।
ଅଭ୍ୟାସେ ମନ ନିରୋଧନ
ପରମ ଯୋଗ ଏ ସାଧନ ।।୫।।
ପ୍ରସନ୍ନ ହୁଏ ଯେବେ ମନ
ଅସତ୍ୟ ଦେଖେ ତ୍ରିଭୁବନ ।।୬।।
ମନ ହୁଅଇ ଯାର ବଶ
ଲଭଇ ପରମ ସନ୍ତୋଷ ।।୭।।
ମନ ଏ ଶରୀର ଠାକୁର
ପ୍ରସନ୍ନେ ଦିଏ ସେହି ବର ।।୮।।
ମନ ପ୍ରକୃତି ହୋଇ ବଶ
କରଇ କୁକର୍ମ ବିଳାସ ।।୯।।
ପ୍ରକୃତି ହେଲେ ମନ ବଶ
କରଇ ସୁକର୍ମ ବିଳାସ ।।୧୦।।
ମନ ବିହାର ନବଦ୍ବାରେ
ସୁଜନ ଜାଣ ଏ ହେତୁରେ ।।୧୧।।
ଶବଦ ଦ୍ବାରେ ଯେ ଶ୍ରବଣ
ଦର୍ଶନ ଦ୍ୱାରେ ଯେ ଦର୍ଶନ ।।୧୨।।
ବାୟୁ ସେବନ ନାସା ଦ୍ବାରେ
ପାନ ଭୋଜନ ମୁଖ ଦ୍ବାରେ ।।୧୩।।
ଦୁଇଟି ଦ୍ୱାରେ ମଳମୂତ୍ର
ମନରୁ ବଳିଷ୍ଠ କେ ପାତ୍ର ।।୧୪।।
ମନ ସଙ୍ଗେ ବିବେକ ବୁଦ୍ଧି
କରି ଲଭନ୍ତି ସର୍ବସିଦ୍ଧି ।।୧୫।।
ଅଦ୍ଭୁତ ମନର ଶକତି
ମନରୁ ପ୍ରପଞ୍ଚ ଉତ୍ପତ୍ତି ।।୧୬।।
ଏ ମନ ହୋଇଲେ ଅମନ
ପ୍ରାପ୍ତ ହୁଅନ୍ତି ନାରାୟଣ ।।୧୭।।
କାମନା ହୋଇଲେ ଦହନ
ନିଷ୍କାମ ଭକତି ଜନମ ।।୧୮।।
ନିଷ୍କାମ ହୋଇଲେ ଭକତି
ଜୀବ ଲଭଇ ସଦଗତି ।।୧୯।।
ମୁଁ ମୋର ଭାବ ହେତୁ ମନ
ସଂସାରେ ହୁଅଇ ବନ୍ଧନ ।।୨୦।।
ଏଣୁ ଏ ମନର ସଂଯମ
ପରମ ଜ୍ଞାନର କାରଣ ।।୨୧।।
ଭକ୍ତି ବୈରାଗ୍ୟ ଯୁକ୍ତ ମନ
ଜୀବର ପରମ କଲ୍ୟାଣ ।।୨୨।।
ସାଧୁଙ୍କ ସତସଙ୍ଗେ ନିତି
ଲଭିବ ଜ୍ଞାନ ଓ ଭକତି ।।୨୩।।
ମନ ଲଗାଅ ସାଧୁସଙ୍ଗେ
ନିର୍ମଳ କରି ଏହି ଭବେ ।।୨୪।।
ସଂସାରୁ ହେବ ଯେବେ ପାର
ସେ କଥା ମନେ ହେତୁ କର ।।୨୫।।
ଗୁରୁନାମ ଭଜନେ ମନ
ଭବସାଗରୁ ଉଦ୍ଧାରଣ ।।୨୬।।
ନାମ ମାତ୍ର ସତ୍ୟ ଜଗତେ
ଏ ନାମ ଯିବ ସଙ୍ଗେ ଅନ୍ତେ ।।୨୭।।
ଆତ୍ମାଙ୍କୁ ଆପଣେ ଉଦ୍ଧାର
ଗୁରୁନାମକୁ ନୌକା କର ।।୨୮।।
ହେ ନରେ ହେତୁ ଚେତା କର
ବିନତି କରେ ଯୁଧିଷ୍ଠିର ।।୨୯।।