ମନ ସୁନ୍ଦରତା ତନୁରେ ନାହିଁ
ମନ ସୁନ୍ଦରତା ତନୁରେ ନାହିଁ
ପ୍ରିୟ ବନ୍ଧୁ ମୋର ଭାରି ବଢିଆ
ନୁହେଁ ସେ ପଣ୍ଡିତ କିବା ବାଇଆ ।
ନାରୀ ଜଗତକୁ ଦିଏ ସମ୍ମାନ
ତହିଁରୁ ଉପୁଜେ ମୋହରି ଜ୍ଞାନ ।
ବୋଲନ୍ତି ସଜନୀ ଶୁଣ ମୋ ବାଣୀ
ନାରୀ ଭଗ୍ନୀ ଜାୟା ପୁଣି ରମଣୀ ।
ତାହାର ବନ୍ଦନା କରେ ଯେ ଜନ
ଜୀବନେ ଲଭେ ସେ ଯଶ ସମ୍ମାନ ।
ପଣ୍ଡିତେ ଗଣିତା ସେ କାଳିଦାସ
ବୀଣା ପାଦ ଧ୍ୟାୟୀ ଆନନ୍ଦ ହର୍ଷ ।
ତୋଷ ହୋଇ ଦେବୀ କଲେ ବିଦ୍ଵାନ
କାଳିଦାସ ଭାବେ ମୁହିଁ ମହାନ ।
ଚରଣ ବନ୍ଦନା ଧ୍ୟାନରୁ ହଜେ
ସରସ୍ୱତୀ ମୁଖ ନେତ୍ରେ ବିରାଜେ ।
କୋପ ଭରେ ଦେବୀ କଲେ ଦଣ୍ଡିତ
ଭସ୍ମୀଭୂତ ହେଉ ଜ୍ଞାନ ମହତ ।
ସେ କଥା ଭୁଲିଲେ କଳି ର କବି
ନାରୀ ସ୍ତନ ହୁଏ ପ୍ରମୁଖ ଛବି ।
ମାତା ସ୍ତନ ପାନେ ପୁତ୍ର ଜୀବନ
ସେହି ପୁତ୍ର ଭୁଲେ ମାତା ସମ୍ମାନ ।
ନାରୀ ସ୍ତନ ପରା ଅମୃତ କୁମ୍ଭ
ସେ ସୁଧା ପାନରେ ସନ୍ତାନ ଦମ୍ଭ ।
ଗିରି ଶିଖ ପରି ସ୍ତନ ଆକୃତି
ବିକୃତି କରଇ ବାଚାଳ ମତି ।
କଳୁଷିତ ଆଜି କଳିର ଯୁଗ
ଧରାଶାୟୀ ଶାନ୍ତି ତୃପ୍ତି ସଂଭୋଗ ।
ଯେତେ ଜ୍ଞାନ ରତ୍ନେ ହୁଅ ଭୂଷିତା
ଲେଖା ଭ୍ରଷ୍ଟ ହେଲେ କଟିବ ଫିତା ।
ଭାଷା ମୋର ଅଟେ ଭାରି କଠୋର
ପଢିଲେ ଆସିବ ଭୂକମ୍ପ ଜ୍ୱର ।
ମନ ଚାହେଁ ଯେତେ କର ଚୁଗୁଲି
ତୁମେ ମୀନ ହେଲେ ମୁହିଁ ବଗୁଲୀ ।
ନାରୀ ରୂପ ଚର୍ଚ୍ଚା ହରଷେ କର
ଗୁଣାବତ୍ତା ଦେଇ ପିନ୍ଧାଅ ହାର ।