ମନ କଥା କହିବି ତୁମକୁ
ମନ କଥା କହିବି ତୁମକୁ
କୁଳୁକୁଳୁ ନାଦେ ପାହାଡି ଝରଣା
କାନେ କାନେ ଦିଏ କହି
ହସେ ଦୁଇ କୂଳ ତୀର ତରୁଲତା
ତଟିନୀଟି ଯାଏ ବହି ।
ଶୁଭେ କାକଳିର ମଧୁ ଗୁଞ୍ଜରଣ
ସଙ୍ଗୀତ ମୃଦୁ ମୂର୍ଚ୍ଛନା
ଧରଣୀକୁ ଚୁମ୍ବେ ସୂରୁଜ କିରଣ
ଶୀତଳ ଚନ୍ଦ୍ରମା ଜ୍ୟୋତ୍ସ୍ନା ।
ତୋଳି ତା ମସ୍ତକ ଉଚ୍ଚ ଗିରିଶୃଙ୍ଗ
ଆକାଶକୁ କିଛି କହେ
ତୁମ ଠାରୁ ଦୂରେ ଥିଲେ ପ୍ରିୟତମା
ଭାରି ଶୂନ୍ଯ କଷ୍ଟ ଲାଗେ ।
ଖୋଜେ ଅମାନିଆ ନିଃସଙ୍ଗ ମୋ ମନ
ତୁମକୁ ସାଥୀ ଏକାନ୍ତେ
ଜାଳିଦିଏ ହୃଦ ମଧୁର ଯନ୍ତ୍ରଣା
ତୁମ ମୁହଁ ଖାଲି ଦିଶେ ।
ମଣେ ଅପରାଧୀ ନିଜକୁ ମୁଁ ନିଜେ
ନବୁଝି ଇଙ୍ଗିତ ଭାଷା
ଉଙ୍କିମାରେ ମନେ ତୁମ ଅଭିମାନ
ଅନୁରାଗ ଆଡରୁଷା ।
ଦେଉଛି ତୁମକୁ କଥା ପ୍ରିୟତମା
ସମୟ ଲାଗୁ ପଛକେ
ମନଖୋଲି ସବୁ କହିବି ତୁମକୁ
ଲୁଚାଇବି ନାହିଁ ଟିକେ ।
ସ୍ମୃତିର ଶୂନ୍ୟତା ପ୍ରେମ ଗଭୀରତା
ଏକାକାରେ ହୁଏ ଦୂର
ଅନୁଭବେ ସତ୍ଯ ଜୀବନ ସାର୍ଥକ
ସବୁଜ ଚିର ସୁନ୍ଦର ।

