ମନ ବୈରାଗୀ
ମନ ବୈରାଗୀ
ବୈଶାଖୀ ଝାଞ୍ଜିର ତତଲା ସମୀରେ
ସିଝୁଛି ହୃଦୟ ଆଜି,
ଦହୁଛି ପରାଣ ବିରହୀ ରାତ୍ରିରେ
ବିଚ୍ଛେଦ ଅନଳ ସାଜି l
ଏକାନ୍ତ ଜୀବନ ଜହର ସମାନେ
ପ୍ରିୟତମ ବିନା ସିନା,
ବଣ ମଲ୍ଲୀ ପରି ଝରି ପଡେ ବନେ
ସପନ ବୁଣିବା ମନା l
ଋତୁ ପରେ ଋତୁ ଆସେ ଧରଣୀରେ
ଜୀବନେ ଅଫେରା ତୁମେ,
ଅମାବାସ୍ୟା ହୁଏ ପୂର୍ଣ୍ଣମୀ ରାତିରେ
ତୁମ ବିନା ସିକ୍ତ ପ୍ରେମେ l
ସବୁଜ ପଲ୍ଲଵ ରୋଦନେ ଅତିଷ୍ଟ
ଫଗୁଣର ସ୍ପର୍ଶ ବିନା,
ମନର ସହରେ ବିରହର କଷ୍ଟ
ଶ୍ରାବଣର ସ୍ପର୍ଶ ବିନା l
ଫେରି ଆସ ସାଥି ଜୀବନେ ମୋହର
ଫୁଟିବ କୁସୁମ ଶତ,
ମୃଦୁଳ ମଳୟେ ସୁଗନ୍ଧ ହଜାର
ତୁମରି ସ୍ପର୍ଶରେ ସତ l
ବୈରାଗୀ ମନ ଜପେ ତୁମ ନାମ
ନିରନ୍ତର ଅନ୍ତର ସ୍ଵରେ ,
ଦୁଃଖଦ ସଂସାରେ ତୁମେ ପୁଣ୍ୟ ଧାମ
ଖୋଜୁଛି କାହ୍ନୁର ସୁରେ l
ମିଳିବ କି ସତେ ସେ ପୁଣ୍ୟ ଜଗତି
ଜଗତେ ଜଗତ ବନ୍ଧ,
ଆତ୍ମାର ସାରଥୀ ସେ ଏକା ମୁକତି
ଗୋବିନ୍ଦ ବିହୁନେ ଅନ୍ଧ l
ହେ ରାଧା ମୋହନ ମୋ ପ୍ରାଣର ପ୍ରାଣ
ଅନ୍ତରେ ବିରାଜ ନିତ୍ୟ,
ତୁଳସୀ ତୁଳସୀ ବାସୁ ମୋର ମନ
ତୁମେ ଏକା କୃଷ୍ଣ ସତ୍ୟ l
