ମଳୟର ବଳୟ
ମଳୟର ବଳୟ
ଯେବେଠାରୁ ତୁମେ ମଳୟ ସ୍ପର୍ଶରେ
ଚନ୍ଦନ ପାଲଟିଗଲ,
ବାସ ଚହଟିଲା ସାରା ଜଗତରେ
ଭ୍ରମର କରିଲେ ଗେଲ ।
ଅଳପ ବୟସେ ରୂପସୀ ହୋଇଲ
ଅଙ୍ଗେ ଅଙ୍ଗେ ଶୋଭା ଘେନି,
ପ୍ରଫୁଲ୍ଲିତ ମନ ଚିତ୍ତ ଆକର୍ଷଣେ
ସତେ ବା ତୁମେ ଶ୍ରାବଣୀ ।
ମନ ବଦଳିଲା ତନୁ ବଦଳିଲା
ଚାହାଣି ବଦଳିଗଲା,
ପ୍ରସ୍ଫୁଟିତ ହସ ଓଠର ସୁବାସେ
ହୃଦୟ ଘାଇଲା କଲା ।
କେତେ ଯେ ତରଙ୍ଗ ଉଙ୍କିମାରୁଥିଲେ
ତୁମ ଅଙ୍ଗସ୍ପର୍ଶ ପାଇଁ,
ବେଳାଭୂମିପରେ ଘୂରିବୁଲୁଥିଲେ
ବାଲୁକାକୁ ଦୋହଲାଇ ।
ସ୍ବର୍ଗର ଅପ୍ସରା ହୋଇ ଭୁଲିଗଲ
ପାରିଜାତ ଖୋଜୁଥିଲ,
ତରଙ୍ଗକୁ ତୁମ ଭ୍ରୁକ୍ଷେପ ନ ଥିଲା
ଆକାଶରେ ଉଡୁଥିଲ ।
ଭୁଲିଯାଇଥିଲ ବାଲିଘର ଖେଳ
ବୋହୂ ହେବାର ଭୂମିକା,
ନବ ଉଦ୍ଦୀପନା ଘାରୁଥିଲା ମନେ
ହେବାକୁ ଚିର ନାୟିକା ।
ତେବେଠାରୁ ପାଣିଫୋଟକା ମିଳେଇ
ଜଳସ୍ରୋତେ ଭାସିଗଲା,
ଭାଙ୍ଗିଗଲା ଆଶା ଭରସା ତାହାର
ଆପେ ଆପେ ଫୁଟିଗଲା ।

