ମକର
ମକର


ବାରମାସେ ବାର ସଙ୍କରାନ୍ତି ଆସେ
ଧନୁ ସରିଲେ ମକର
ମାଘମାସରେ ସେ ଆସିଥାଏ ଆସି
ଦିନ କରାଏ ବକର ।
ମକର କ୍ରାନ୍ତିକୁ ସୁରୁଜ ଆସନ୍ତି
ବଡ ହୋଇଯାଏ ଦିନ
ବିବାହ ବ୍ରତ ଯଜ୍ଞାନୁଷ୍ଠାନ ହୁଏ
ହୁଏ ଶୁଭ କର୍ମମାନ ।
ଗାଁରୁ ସହର ସାଜସଜ୍ଜା ନେଇ
ଆସେ ମକର ଉତ୍ସବ
ସର୍ବଭାରତୀୟ ସ୍ତରରେ ପାଳନ
ହୁଏ ଏ ଗଣପରବ ।
ଦକ୍ଷିଣ ଭାରତେ ପୋଙ୍ଗଲ କହନ୍ତି
କୁଡୁମୀ ଟୁସୁ ପରବ
କହି ପାଳିଥାନ୍ତି ନାଚଗୀତ
ଭୋଜିଭାତରେ ସିନା ଏ ପର୍ବ ।
ଭାରତ ବାହାରେ ରୋମାନ୍ ଇହୁଦୀ
ମକର ପର୍ବ ପାଳନ୍ତି
ସୂର୍ଯ୍ୟନାରାୟଣଙ୍କ ଉତ୍ତରାୟଣ
ମକର ରାଶି ଗମନ୍ତି ।
ସୂର୍ଯ୍ୟ ପୂଜା ହୁଏ ଶିବ ପୂଜା ହୁଏ
ମକର ସଂକ୍ରାନ୍ତି ଦିନ
ନୂଆ ଅରୁଆ ଚାଉଳ ବତୁରାଇ
ନୂଆଗୁଡ ଛେନା ଆଣ ।
ଦର ଦର ଛେଚା ଚାଉଳକୁ କରି
ଛେନା ଘିଅ ଗୁଡ କ୍ଷୀର
>
ପାଚିଲାକଦଳୀ ନଡିଆ କର୍ପୂର
ମରିଚ ଗୁଣ୍ଡ ଆବର ।
ମିଶ୍ରଣେ ମକର ଚାଉଳ ହୁଅଇ
ସୂର୍ଯ୍ୟ ଗୃହ ଦେବଦେବୀ
ପୂଜା କରି ସର୍ବେ ଆନନ୍ଦ ଉଲ୍ଲାସ
କରନ୍ତି ତାହାକୁ ସେବି ।
ପାରମ୍ପରିକ ଏ ମକର ପରବ
ସ୍ନାନ ମହୋଦଧି ତୀରେ
ସରୋବର ନଦୀ ତଟେ ସ୍ନାନ ସାରି
ମକର ମେଳା କେ କରେ ।
ଗଙ୍ଗାସାଗରରେ ମହୋତ୍ସବ ସାଧୁ
ସଙ୍ଗ ପ୍ରସିଦ୍ଧ ଏ ମେଳା
କୃଷି ଭିତ୍ତିକ ଏ ଅମଳ ପରବ
ଗୁଡି ପର୍ବ କେ କହିଲା ।
ମକର ଚୌରାଶି ବେଶ ଅନୁଷ୍ଠିତ
ହୁଏ ଜଗନ୍ନାଥଙ୍କର
ମହୋଦଧୂ ସ୍ନାନ ବଟ ପ୍ରଦକ୍ଷିଣ
ଶ୍ରୀଜଗନ୍ନାଥ ଦର୍ଶନ ।
ଅନନ୍ତ ଫଳଦ ବିଶ୍ବାସ ରହିିଛି
ସନାତନ ଧରମରେ
ଜୀବ ବିଷ୍ଣୁଲୋକେ ଗତିକରେ
ମୃତ୍ଯୁ ହେଲେ ଉତ୍ତରାୟଣରେ ।
ଗାଁଁରୁ ସହର ସାଜସଜ୍ଜା ନେଇ
ଆସେ ପରବ ମକର
ଆନନ୍ଦ ଉଲ୍ଲାସେ ପାଳନ୍ତି ସଭିଏଁ
କେହି ବି ବସେ ମକର ।