STORYMIRROR

Upendra prasad Mahala

Inspirational Children

4  

Upendra prasad Mahala

Inspirational Children

ମିଛୁଆ ରାଧୁଆ

ମିଛୁଆ ରାଧୁଆ

1 min
455


"ବାଘ ନେଇଗଲା ହୋ
ଧାଇଁ ଆସ, ଧାଇଁ ଆସ।"

ଗାଈ ଗୋଠରୁ ଘର ବାହୁଡା 
ବେଳେ ବୁଦା ମୂଳେ ଛପିଥିବା
ବାଘ ତାକୁ ଝାମ୍ପି ନେଲା
ଭୟରେ ଚିତ୍କାର କରୁଥିଲା 
ଭେଣ୍ଡିଆ ଟୋକା ରାଧୁଆ।

କେହି ଶୁଣିଲେନି ତା' ଡାକ
କହିଲେ, ମିଛୁଆଟେ !
ଧାଇଁଗଲେ ଠୋ ଠୋ ହସି
ବୋକା ବନେଇ ଦେବ।

ବିଚରା ରାଧୁଆକୁ ସତ ବାଘ 
ପଞ୍ଝାରେ ଟାଣି ନେଉଥିଲା 
ଗହନ ଜଙ୍ଗଲ କୋଳକୁ।
ଗାଈପଲ ଛିନଛତର 
ରଡି ଛାଡି ପ୍ରାଣମୂର୍ଚ୍ଛା 
ଧାଉଁଥିଲେ ଏଣେତେଣେ।

ମଜାରେ ମଜାରେ ଥରେ
'ବାଘ ନେଇଗଲା' ହୁରି 
ଛାଡି ଲୋକଙ୍କୁ ଠକିଥିଲା 
କିଏ ବିଶ୍ବାସ କରିବ ତାକୁ।

ବୁଦ୍ଦୁ ରାଧୁଆ ବିଚରାଟେ !!
ସତ ବାଘ ଟାଣି ନେବା ବେଳେ 
କେହି ଆସିଲେନି, ମରଣ ମୁହଁରୁ 
ତାକୁ ଛଡ଼ାଇ ଆଣିଲେନି
ପବନରେ ମିଳେଇ ଯାଉଥିଲା
ଗୋଧୂଳିର କ୍ଳାନ୍ତ ରଂଗ ଭଳି
ତା' ଜୀବନର ଶେଷ କାନ୍ଦ।

ବାଘ ତାକୁ ନେଇଯିବା ବେଳେ
ଲୋକଙ୍କୁ ଶୁଣାଇ କହୁଥିଲା
"ମୋ ଘରଣୀକୁ କହିବ କାନ୍ଦିଵନି 
ଆଟୁ ଉପରେ ରଖିଛି 
ଶୁଖୁଆ, ଆମ୍ବୁଲ ମାଠିଆ,
ଅଖାରେ ଖୁଦ ଚାଉଳ
ଗଣ୍ଠୁଲିରେ ଖୁଚୁରା ଟଙ୍କା।

ନଇଁ ଆସୁଥିଲା ଅଂଧାର
ଗାଁକୁ ଫେରି ଆସୁଥିଲେ 
ଇତସ୍ତତଃ ଗାଈପଲ
ଘଞ୍ଚ ଜଙ୍ଗଲ ଭିତରେ ହଜି
ଯାଉଥିଲେ ବାଘ ଓ ରାଧୁଆ।
ଆଉ ଶୁଣାଯାଉ ନ ଥିଲା 
"ବାଘ ନେଇଗଲା ହୋ"।

ବଡ ବୁଦ୍ଦୁଟେ ଥିଲା ରାଧୁଆ
ଗାଁ ଲୋକଙ୍କ ଲୁଣ ଖାଉଥିଲା, 
ଗୁଣ ଗାଉଥିଲା, ଜୋକର ବନୁଥିଲା
ଗାଈ ଗୋଠରେ ବଇଁଶି ବଜାଇ
ନାଟୁଆ ସାଜୁଥିଲା, ସଭିଙ୍କ
ଦୁଃଖସୁଖର ସାଥୀ ହୋଇ
ହସି ହସି ଜିଇଵା ଶିଖିଥିଲା।
ପେଟକୁ ଦାନା ନ ଥିଲେ କାହାକୁ 
କହୁ ନ ଥିଲା। ଗାଈଜଗା
ବର୍ତ୍ତନକୁ ଚାହିଁ ବସୁଥିଲା। 
ନୂଆ ଘରଣୀ ପର ଘରେ 
ଧାନ କୁଟି, ବାସନ ମାଜି, ପତର
ଗୋଟେଇ ଯାହା ଆଣୁଥିଲା 
ଦୁଇ ପେଟକୁ ଦାନା ଦେଉଥିଲା।
ଘରଣୀର ଶୁଖିଲା ମୁହଁ ଦେଖିଲେ 
ଲାଜରେ ମଥା ପୋତୁଥିଲା ରାଧୁଆ।
ଗାଈ ଜଗିବା ବେଳେ ଶୂନ୍ୟକୁ ଚାହିଁ
ପାଟିରେ ନିଃଶ୍ବାସ ଛାଡି 
ହସୁଥିଲା ଓ କାନ୍ଦୁଥିଲା  !

ଥରକର ଥଟ୍ଟାମଜା ବେଶି ମହଙ୍ଗା
ପଡିଲା, ପାଇଲା ମୃତ୍ୟୁଦଣ୍ଡ।

ଏତିକିରେ ସରିନା କାହାଣୀ।
କାଳକାଳକୁ ମନରେ ଛାପ ଆଙ୍କି
ବସିଛି ଭିନ୍ନ ଏକ ଚେତନା
"ଅପବାଦର ଜୀବନ୍ତ ଛବି
ମିଛୁଆ ରାଧୁଆ"।

ପିଲାମାନେ ତା' ଗପ ଶୁଣି 
ଶୋଇଗଲେ ସ୍ୱପ୍ନରେ ଗାଁକୁ ଫେରେ ।
ବୁଢା ହେଇଗଲାଣି କେବେଠୁଁ
ଛାତି ଯାଏ ଲମ୍ବିଛି ପାଚିଲା ଦାଢି।
ଅପବାଦର କଳାଧଳା ଛାଇଟେ 
ଘୂରି ଘୂରି ଖୋଜିବୁଲେ ଘରଣୀକୁ।
ନା ଦେଖେ ଗାଁ ମୁଣ୍ଡ ଜଙ୍ଗଲ, 
ନା ଥାଏ ବାଘ ନା ଗାଈଗୋଠ।
ବିଚରା ରାଧୁଆ !!

*******

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational