ମିଛ ଦୁନିଆରେ ଗୋଟିଏ ସତ
ମିଛ ଦୁନିଆରେ ଗୋଟିଏ ସତ
ସୃଷ୍ଟିରେ ସକଳେ ଅନୁଭବୀଟିଏ
ମିଛ ଦୁନିଆରେ ଗୋଟିଏ ସତ
ଏକ ବ୍ରହ୍ମ ଆଉ ଦ୍ବିତୀୟ ନାହାନ୍ତି
ତାଙ୍କରି ସତ୍ତା ଏ ସାରା ଜଗତ ।
ଶୂନ୍ୟ ଦେହୀ ସିଏ ଶୂନ୍ୟ ଶୂନ୍ୟ ମଧ୍ୟେ
ଜାଗ୍ରତ ହୁଅନ୍ତେ ସୃଷ୍ଟି ବାସନା
ରହି ସୂକ୍ଷ୍ମ ରୁପେ ସ୍ଥୂଳ ଦେହେରେ
କରନ୍ତି ବିଶ୍ବବ୍ରହ୍ମାଣ୍ଡ ସର୍ଜନା ।
ଆମେ ତ ସଭିଏଁ ସେହି ବ୍ରହ୍ମ ଅଂଶ
କେହି କାହାଠାରୁ ନୁହନ୍ତି ଭିନ୍ନ
ମୋହ ମାୟା ମଧ୍ୟେ ପଡ଼ି ଛଟପଟ
କେବଳ ଆମର ଭ୍ରମ ଜୀବନ ।
ଆଖି ଆଗେ ସିନା ଭାସେ ପ୍ରତିକ୍ଷଣ
ଧନ, ମାନ, ଯଶ ନୁହଁଇ ସ୍ଥିର
ଆଜି ଅଛି ଯାହା କାଲିକୁ ବି ନାହିଁ
ଏ ସଂସାର ଯେଣୁ କ୍ଷଣଭଙ୍ଗୁର ।
ଜାଗ୍ରତ କରାଇ ଷଡ଼ରିପୁ ଆମେ
କାମନା ବାସନାକୁ ଧରୁ ତୋଳି
ହିଂସା, କପଟକୁ ସାରଥୀ ସଜାଇ
ମନରଥଟିକୁ ନିଇତି ଚାଳି ।
ପଦ୍ମ ପତ୍ରେ ଜଳ ଢଳଢଳ ପରି
ନୁହେଁ କି ଆମ ଜୀବନ ସବୁରି
କେଉଁ ଲାଭ କୁହ ବୃଥା ଅଭିମାନେ
ଦେହୀ ସଙ୍ଗେ ଭାବ ରଚନା କରି ।
ପୁରୁଣାକୁ ଫିଙ୍ଗି ନବ ପରିଧାନ
ଯେପରି କରଇ ଦେହୀଟେ ଏଠି
ଗଲେ ଦେହ ଛାଡ଼ି ଅନ୍ୟଠି ପ୍ରବେଶି
ଲୀଳା ରଚିଥାଏ ପୁଣି ସେଇଠି ।
କାହାକୁ ବି ଏଠି ଭାବିବା ନିଜର
ଭୁଲ ନୁହଁଇ କି ଛାଡ଼ି ଈଶ୍ବର
ବୋଲା ଯାଇଥାଏ ଲୋକମୁଖେ ଯେଣୁ
ଦୁନିଆଟା ପରା ସ୍ବାର୍ଥପର ।
ଏ ହାତର ପାପ ନିଏନି ସେ ହାତ
ନିଜ କର୍ମ ପାଇଁ ନିଜେ ହିଁ ଦାୟୀ
ଦସ୍ୟୁ ରତ୍ନାକର ଚରିତ୍ରର ଗାଥା
ଆମକୁ ଦେଇଛି ପରା ଶିଖାଇ ।
ସେଥିପାଇଁ ତ୍ୟାଗୀ ଗର୍ବ ଅହଂକାର
ପରସ୍ପରେ ରଚି ଭାବ-ସାଗର
ଉବୁଟୁବୁ ଯେବେ ସ୍ନେହ ମମତାରେ
ମହକୁଥିବ ଏ ମରତପୁର ।।