ମହକିତ ଫୁଲବନ
ମହକିତ ଫୁଲବନ
ଏଇ ବନଭୂମୀ ଗହଳ ଛାଇରେ
ଦେଖିଲି ତୁମକୁ ଦିନେ
ସ୍ୱର୍ଗରୁ ଅପ୍ସରା ଓହ୍ଲାଇ ଆସିଛି
ଭାବିଲି ମୁଁ ମନେ ମନେ I
ଫୁଲଙ୍କ ମେଳରେ ଫୁଲଟିଏ ହୋଇ
ଦେଉଥିଲ ତୁମେ ହସି
ଭଅଁର ବିଚରା ଫୁଲଟିଏ ଭାବି
ତୁମ ଦେହେ ଗଲା ବସି I
ପୁଲକିତ ହେଲା ସର୍ବାଙ୍ଗ ତାହାର
ଦେଖିଲା ସେ ମନ ଭରି
ନନ୍ଦନ ବନର ଶ୍ରେଷ୍ଠ ଫୁଲ ତୁମେ
ହସୁଥିଲ ଥିରି ଥିରି I
ତୁମରି ମହକେ ଲାଜେଇଲେ ଫୁଲ
ତୁମ ସୌନ୍ଦର୍ଯ୍ୟରେ ରତି
ତୁମ ଦେହତାତି ଜାଳିଦେଲା ମୋତେ
ଜଳିଗଲା ଶୀତରାତି I

