ମହାଶିବରାତ୍ରି
ମହାଶିବରାତ୍ରି
ବାର ବ୍ରତ ଉପାସନା କରି ଭକ୍ତଜନ
ନିଷ୍ଠା ସହକାରେ ପାଳେ ମହାଶିବରାତ୍ରି
ଫଗୁଣମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ,
ମହା ଅନ୍ଧକାରର କାଳିମାକୁ
ଦୂରେଇ ଦେବାକୁ ଜାଳେ ଦୀପ
ଶିବଙ୍କ ଆରାଧନାରେ ଦେଇ ଧ୍ୟାନ।
ସମୁଦ୍ର ମନ୍ଥନେ ବାହାରିବାରୁ ବିଷ
ପାନ କରି ଶିବ ହେଲେ ନୀଳକଣ୍ଠ ,
ସଂସାରର ବିଷରୁ ରକ୍ଷା ପାଇବାକୁ
ଭକ୍ତଜନ ସମାଗମ ହୁଏ ଶୈବପୀଠ।
ମୃତ୍ୟୁକୁ ଜୟ କରି ସେ ମୃତ୍ୟୁଞ୍ଜୟ
ଦେବ ଦେବ ବାବା ଆଶୁତୋଷ,
ପୂଜିଲେ ତାଙ୍କୁ ମିଳେ ପୂଣ୍ୟଫଳ
ଜୀବନରେ ଆସେ ଶାନ୍ତି ସନ୍ତୋଷ।
ଜପ କଲେ ଶିବ ମହାମନ୍ତ୍ର
ଦୂର ହୋଇଯାଏ ଆକସ୍ମିକ ବିପଦ,
ମନେ ରଖିଥିଲେ ଶ୍ରଦ୍ଧା ଭକ୍ତି ଭାବ
ଆସେ ନାହିଁ କେବେ ଅବସାଦ।
ଶିବଙ୍କ ମହିମା ଅପାର କରୁଣା ଅଶେଷ
ଭକ୍ତ ଜନ ପାଇବାର ଆଶେ,
ଗୁହାରି କରେ ରହିବାକୁ ମଙ୍ଗଳ
ରହି ରାତ୍ରେ ଉଜାଗର ତାଙ୍କରି ପାଶେ।
ଶିବ ଶବ ମଧ୍ୟେ 'ଇ' କାର ଭେଦ ମାତର
ଶିବ କୃପା ବିନା ଏ ଶରୀର ଶବ,
ଯେତେ ଥାଉ ଧନ ଦରବ ଐଶ୍ୱର୍ଯ୍ୟ
ବୁଜିଲେ ଆଖି ସବୁ ଚାଲିଯିବ।
ଏ ଜୀବନ ବି ଏକ ମହାଶିବରାତ୍ରି
ଭବିଷ୍ୟତର ଘନ ଅନ୍ଧାରରେ ରହି,
ସଂସାରର ବିଷୟା ବିଷ ପିଇ ପିଇ
ଅବଚେତନ ନିଦ୍ରା ମନକୁ ନିଏ ମୋହି।
ଦୂରେଇ ଦେବାକୁ ସେ ଅନ୍ଧକାର
ଜ୍ଞାନର ଦୀପ ଜାଳେ ଜାଗ୍ରତ ହୋଇ,
ସତ୍ କର୍ମ କଲେ ଶାନ୍ତିରେ ଦିନ କାଟେ
ବାବା ଭୋଳା ଶଙ୍କରଙ୍କଠାରୁ ବର ପାଇ।
ମହାଶିବରାତ୍ରିର ଏ ଜୀବନ ଅର୍ଥ ବୁଝି
ଅଖଣ୍ଡ ଆଶା ଭରସା ରଖି ମଣିଷ,
ଚାଲିଥିଲେ ସଦା କର୍ମର ସତ୍ୟପଥେ
ମିଳେ ସାର୍ଥକତା ଅତୁଟ ରହେ ବିଶ୍ଵାସ।
