ମହାଲକ୍ଷ୍ମୀ
ମହାଲକ୍ଷ୍ମୀ
ମାର୍ଗଶୀର ଗୁରୁବାର ପ୍ରଭାତରେ
ଅଳଙ୍କାର ମଣ୍ଡି ହୋଇ ।
ଶ୍ରୀମନ୍ଦିରୁ ମହାଲକ୍ଷ୍ମୀ ବାହାରିଲେ
ପଡି ଚରଚିବା ପାଇଁ ॥୧॥
କାହାରି ଦୁଆରେ ନଦେଖିଲେ ଶୁଚି
ଚାଲିିଲେ ସେ ଦାଣ୍ଡେ ଦାଣ୍ଡେ ।
ଶ୍ରୀୟା ଚଣ୍ଡାଳୁଣୀ ଘରେ ଶୁଚି ଦେଖି
ପ୍ରବେଶ ହୋଇଲେ ଚାଣ୍ଡେ ॥୨॥
ପଦ୍ମ ଫୁଲେ ତାଙ୍କ ବଳିଲା ଶରଧା
ଉଭା ହେଲେ ତା ଉପର ।
ପୂଜାରେ ସନ୍ତୁଷ୍ଟ ହୋଇ ମହାମାୟୀ
ଯାଚିଲେ ତାହାକୁ ବର ॥୩॥
ଶ୍ରୀୟା ମାଗେ ବର କି ବର ମାଗିବି
ମାଗୋ ମାଗି ନଜାଣଇ ।
ଗୋଗୋଷ୍ଠକୁ ଦେବୁ ଲକ୍ଷେ ପଦ୍ମ ଗାଈ
କୁବେର ସମ୍ପଦ ତୁହି ॥୪॥
କୋଳକୁ ନନ୍ଦନ ହସ୍ତେ ସୁନାବାହି
ସଦା ଥିବ ମୋର ରହି ।
ଚାରିଯୁଗରେ ମୁଁ ବସି ରହିଥିବି
ଅମର ପଦକୁ ପାଇ ॥୫॥
ସବୁ ବର ତୋର କଲି ମୁଁ ସ୍ୱୀକାର
କେବଳ ଅମର ବର ।
ଦେଇ ନ ପାରିବି ସେ ବର ଦେବାକୁ
ଶକତି ନାହିଁ ମୋହର ॥୬॥
ଯେତେଦିନ ଥିବୁ ମହୀ ମଣ୍ଡଳରେ
ଐଶ୍ୱର୍ଯ୍ୟ ଭୋଗ କରିବୁ ।
ଦେଲି ଏହି ବର ଅନ୍ତକାଳେ ଯାଇ
ବିଷ୍ଣୁ ପଞ୍ଜରେ ପଶିବୁ ॥୭॥
ବର ଦାନ କରି ମହାଲକ୍ଷ୍ମୀ ଯେବେ
ଶୀରିମନ୍ଦିରେ ଚଳିଲେ ।
ସିଂହଦ୍ଵାରେ ଜଗନ୍ନାଥ ବଳରାମ
ବସି ଅଛନ୍ତି ଦେଖିଲେ ॥୮॥
ବାରଣ କରିଲେ ପ୍ରଭୁ ଜଗନ୍ନାଥ
ଚଣ୍ଡାଳ ସାହିକୁ ଯାଇ ।
ମନ୍ଦିରେ ପଶିବ କିପରି କହୁଛ
ଚଣ୍ଡାଳ ବିଟାଳ ହୋଇ ॥୯॥
ଛାଡିଲି ବୋଲି ବୋଇଲେ ଜଗନ୍ନାଥ
ଲକ୍ଷ୍ମୀ ଅଙ୍ଗୁ ଅଳଙ୍କାର ।
ସବୁ ରଖି ଦେଇ ତାଙ୍କୁ ଶାପ ଦେଇ
ସେଠାରୁ ହେଲେ ବାହାର ॥୧୦॥
ବୋଇଲେ ବାର ବରଷ ଦୁଇ ଭାଇ
ଅନ୍ନ ଜଳ ନପାଇବ ।
ମୁହିଁ ଚଣ୍ଡାଳୁଣୀ ଟେକି ଦେଲେ ଅନ୍ନ
ଭୋଜନ ଦୁହେଁ କରିବ ॥୧୧॥
ଏତେ ବୋଲି ମହାଲକ୍ଷ୍ମୀ ଗଲେ ଚଳି
ବିଶ୍ବକର୍ମାଙ୍କୁ ହକାରି ।
ସମୁଦ୍ର କୂଳରେ ମନ୍ଦିର ନିର୍ମାଣି
ରହିଲେ ଦାସୀଙ୍କୁ ଧରି ॥୧୨॥
ଜଳ ନପାଇଲେ ଜଗନ୍ନାଥ ବଳରାମ
ପାହିଲା ରଜନୀ ।
ବାର ଦ୍ବାର ବୁଲି ହେଲେ ହୀନିମାନ
ନମିଳିଲା ଅନ୍ନ ପାଣି ॥୧୩॥
ପଦ୍ମ ପୋଖରୀର ସାତତାଳ ପାଣି
କୁଆଡେ ଉଭେଇ ଗଲା ।
ଖଇ ଗଲା ଉଡି ବ୍ରାହ୍ମଣୀ ହାଣ୍ଡିରୁ
ଭାତ କାହିଁ ଉଭାଇଲା ॥୧୪॥
ଯୋଗୀର ଥାଳରୁ ଉଭେଇଲା ଭାତ
ବଳରାମ ଜଗନ୍ନାଥ ।
କଲବଲ ହୋଇ ଇତସ୍ତତେ ହେଲେ
କ୍ଷୁଧା ତୃଷାରେ ଆରତ ॥୧୫॥
ଉପାୟ ନପାଇ ଲକ୍ଷ୍ମୀଙ୍କ ଦ୍ବାରରେ
ଦୁହେଁ ହୋଇ ଉପଗତ ।
ଭିକ୍ଷାଶୀ ହୋଇଲେ ଦାସୀଙ୍କୁ ମାଗିଲେ
ଅନ୍ନ ଭୋଜନ ତୁରିତ ॥୧୬॥
ନୂଆ ହାଣ୍ଡି ସଞ୍ଚା ଦାସୀ ଦେଲେ ଆଣି
ରନ୍ଧନ କରି ନପାରି ।
ହାଣ୍ଡିକି ପିଟିଲେ ବଳରାମ ଯେବେ
କେବେ ନଜଳିଲା ଚୂଲି ॥୧୭॥
ଦାସୀଙ୍କୁ କହିଲେ ସେହି ଘରେ ଦୁହେଁ
କରିବେ ଅନ୍ନ ଭୋଜନ ।
ଶୁଣି ମହାଲକ୍ଷ୍ମୀ ହୋଇଲେ ପ୍ରସନ୍ନ
ତକ୍ଷଣି କଲେ ରନ୍ଧନ ॥୧୮॥
ବିବିଧ ବ୍ୟଞ୍ଜନ କରିଲେ ରନ୍ଧନ
ପୋଡପିଠା ସହ ମାତ ।
ସ୍ନାନ ସାରି ଜଗନ୍ନାଥ ବଳରାମ
ସେ ଘରେ ଖାଇଲେ ଭାତ ॥୧୯॥
ମହାଲକ୍ଷ୍ମୀଙ୍କର କର ଧରି ପ୍ରଭୁ
ଜଗନ୍ନାଥ କଲେ ଅଳି ।
କହିଲେ ରହିଲା ତୁମ ବଡପଣ
ଶ୍ରୀମନ୍ଦିରେ ଯିବା ଚଳି ॥୨୦॥
