STORYMIRROR

Kulamani Sarangi

Abstract

4  

Kulamani Sarangi

Abstract

ମହାକାଳ ଫଳ

ମହାକାଳ ଫଳ

1 min
385


ମହାକାଳ ଫଳେ ଦେଖି ଆମ୍ବଡାଳେ

ଶୁଆ କହେ ଆଲୋ ଶାରୀ,

ମିଠା ଆମ୍ବ ଫଳ ଖାଇବା ଲୋ ଚାଲ,

ସୁଆଦିଆ ପେଟ ଭରି।


ଶାରୀକହେ ଶୁଆ ତୁ ଏଡେ ମିଛୁଆ,

ଏହା ବିଷ ଭୟଙ୍କର,

ମାଡ଼ିଅଛି ବୋଲି ଆମ୍ବ ଗଛେ ଖାଲି

ଛାଡ଼ିବ କି ଗୁଣ ତା'ର।


ଖିରରେ ଧୋଇଲେ ଖଣ୍ଡରେ ମୋହିଲେ

ନିମ୍ବ କି ହୋଇବ ମିଠା,

କଣ୍ଟା ଗଛ ପୋତି ପାଣି ଦେଲେ ନିତି

ଫଳେ କି ପଣସ କଠା ।


ବିଛୁଆତି ଯେବେ ତପ କରେ ତେବେ 

ହେବ କି ତୁଳସୀ ସମ,

ଦୁଇ ପତ୍ର ବେଳୁ କରେ ସିଏ ଗଲୁ

ତୁଳସୀ ବାସେ ଉତ୍ତମ।


କୁକର୍ମ ଆଚରି ପୁଣ୍ୟ ଆଶା କରି

ହେଲାଣି କେ ସନ୍ଥ ଜନ,

ଘାସ ମଞ୍ଜି ବୁଣି ଦେଲେ ଯେତେ ପାଣି

ଫଳିବ କି ତହିଁ ଧାନ।


ଶୁଆପରି ରଟି ରାମନାମ ଗୋଟି

କଲେ ପର ଅମଙ୍ଗଳ,

ସାତ ଜନ୍ମ ତପ ପାଲଟଇ ପାପ,

ଜନମ ହୁଏ ନିଷ୍ଫଳ।


ପ୍ରଶସ୍ତି କାରଣେ ଧନ ଆହରଣେ

କଲେ ସେବା ସମାଜର

ଲୋକ ଲୋଚନରେ ରହିବ ନୀଚରେ

ହୋଇଣ ଚୋର ସର୍ଦ୍ଦାର।


ମହାକାଳ ଫଳ ଉପର ସୁନ୍ଦର

ଭିତରେ କଳା ଅଙ୍ଗାର,

ମନୁଷ୍ୟ ପ୍ରକୃତି ହୋଇଲେ ସେମିତି

କଳଙ୍କ ସେ ସମାଜର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract