ମେଘକୁ ପଦେ
ମେଘକୁ ପଦେ
ସଭିଏଁ ଯେବେ ଜଳୁଥାନ୍ତି
ନିଦାଘର ଡହକ ନିଆଁରେ
ଅସରାଏ ବାରି ତୁମ
ଦିଏ ଢାଳି ସୁଧା ରସ
ମନ ପ୍ରାଣ ଓ ତନୁରେ!
ତୁମେ ପରା ମେଣ୍ଟାଅ
ମନର ପିପାସା ତନୁର ଜ୍ଵଳନ
କୀଟ ବ୍ରହ୍ମ ମାନବ ପାଦପ
ସର୍ବେ ଲଭନ୍ତି ପରମ ସନ୍ତୋଷ!
ସବୁରି କାମ୍ୟ ତୁମେ
ସଭିଙ୍କ ହୃଦୟ ସ୍ପନ୍ଦନ
କେହି କେବେ ବି
ଚାହିଁ ନାହିଁ ଜାଣିବାକୁ
ତୁମ ମନ ଓ ତନୁର ଜ୍ବଳନ!
ବାରେ କେହି
ଚାହିଁ ନାହିଁ ଦେଖିବାକୁ
ମଥା ଟେକି ଦୂର
ଆକାଶ ବକ୍ଷରେ
ତୁମର ବିଳାପ ରୋଦନ!
ତୁମର ବି ମନ ଅଛି
ତୁମର ବି ତନୁ ଅଛି
ଅଛି ଅସହ୍ୟ ଜ୍ବଳନ
ତଥାପି ତୁମେ ଅବାରିତ
ଢାଳୁଅଛ ଶୀତଳ ଚନ୍ଦନ!
ଧନ୍ୟ ତୁମେ ଧନ୍ୟ ମେଘ
ଧନ୍ୟ ତୁମ ବଦାନ୍ୟତା
ତୁମ ଲାଗି ଦୂର ହୁଏ
ଏଇ ମହୀର ଶୂନ୍ଯତା!

