ମେଘ
ମେଘ


ମେଘରେ ମେଘ ରହିଅଛୁ ତୁହି
ଆକାଶରେ କରି ଘର,
କେତେ ନାମେ ତୁହି ଅଛୁ ଯେ ଖ୍ୟାତି
ନାହିଁ ତାର ପଟାନ୍ତର ।
ଜଳ ବାଷ୍ପ ହୋଇ ବ୍ୟୋମକୁ ଗଲେ
ହୋଇଥାଏ ତୋର ଜନ୍ମ,
ଘନ,ଘନାଘନ,ଜଳଦ,ଜଳ
ଅଟେ ତୋର ଅନ୍ୟ ନାମ ।
କେତେ ପ୍ରକାରରେ ସୃଷ୍ଟି ତୁ ହେଉ
ଆକାଶ ବକ୍ଷରେ ରହିି,
ନାନା ରଙ୍ଗେ ତୁହି ଦେଖାଉ ରୂପ
ସୌନ୍ଦର୍ଯ୍ୟର ସୀମା ନାହିଁ ।
ଖଣ୍ଡ ଖଣ୍ଡ ଧଳା ମେଘ ରୂପରେ
ଭାସୁଥାଉ ଗଗନରେ,
ଦେଖିଲେ ଲାଗେ ବୋଇତ ଟିଏ
ଭାସୁଅଛିି ସମୁୁଦ୍ରରେ ।
ଦେଖିଲେ ତତେ ପ୍ରସ୍ଫୁଟିତ ହୁଏ
ପ୍ରେମ ପାରିଜାତ ଫୁଲ,
ପ୍ରିିିୟା ମନେ ଯେଉଁ ବାସ୍ନା ଭରୁ ତୁ
ସେଇ ଯେ ଅମୁଲମୁଲ ।
>
ତତେ ଦେଖିଦେଲେ ମୟୂର ନାଚେ
ପୁଚ୍ଛକୁ ମେଲାଇ ତା'ର,
ମୟୂରର ସେହି ବିରଳ ନୃୃତ୍ୟ
ଦିଶେ କେଡେ ମନୋହର ।
ନୀଳ ଆକାଶେ ଧବଳ ରୂପ ତୋ
ଲାଗେ କେତେ ମନୋରମ,
ଦେଖି ତୋର ସେହି ଶୁଭାଗମନ
ଆତିଥ୍ୟ ଦିଅଇ ବ୍ୟୋମ ।
ତୋ ପରଶ ପାଇ ଧରଣୀରାଣୀ
ହୋଇଯାଏ ଶସ୍ୟ ଭରା,
ତୋ ଯୋଗୁଁ ଜଳ କଷ୍ଟ ଦୂର ହୁଏ
ଧନ୍ୟ ହୋଇଯାଏ ଧରା ।
ଜହ୍ନ ସାଥେ ତୋ ଲୁଚକାଳି ଖେଳ
ଇଚ୍ଛା ହୁଏ ଦେଖିବାକୁ,
ତୋ ପାଖକୁ ଯାଇ ତୋହରି ସାଥେ
ମନ ହୁଏ ଖେଳିବାକୁ ।
ତୋର ସେ ଶୀତଳ ପରଶ ପାଇ
ଶିହରଣ ଖେଳେ ଦେହେ,
ଶୀତଳଶିକ୍ତ ଭିିିଜା ଭିଜା ଦେହ
ସବୁରି ମନକୁ ମୋହେ ।