ମେଘ ମହ୍ଲାର
ମେଘ ମହ୍ଲାର
ନୀଳ ନୀଳିମାମୟ ଅନନ୍ତ ଆକାଶରୁ
ରୂପା ପାଲିଙ୍କିରେ ଓହ୍ଲାଇ ଆସେ ବରଷାରାଣୀ
ସାଥେ ତାର ନେଇ ଆସେ ସରଗରୁ ପାଣି
ମଧୁର ମୂର୍ଚ୍ଛନାର ସ୍ବରେ ଗାଏ ମେଘ ମହ୍ଲାର
ତା' ସୁନ୍ଦର ଛବି ପ୍ରକଟେ ଦିଶେ ମନ ମୁଗ୍ଧକର
ସାତସୁରେ ବନ୍ଧା ଅଦ୍ୱିତୀୟ ରାଗ ରାଗିଣୀ
ସେ ମେଘ ମହ୍ଲାରେ ଜୀବନ ନଈ ବହେ ଉଜାଣି
କଳା ଧଳା ରୂପେ ଭେଳା ଭେଳା ବଉଦ ମାଳା
ଝର ଝର ଝରି ବସୁଧାରେ କରେ ଲୀଳାଖେଳା
ଧରା ଖରା ତେଜ ଯାଏ କ୍ରମେ ମଉଳି
ସୂର୍ଯ୍ୟ ଚନ୍ଦ୍ର ତାରା ସାଥେ ଖେଳେ ଲୁଚକାଳି
କେତେ ଛଟକେ ଝଟକେ ଭଳି କି ଭଳି
ମୋସୁମୀ ଆସେ ଝୁଲି ଝୁଲି ଦୋଳି
ନାଚେ ବଉଦ ମାଳା ଶଙ୍ଖ ବଜାଏ ବିଜୁଳି
ଦଶଦିଗେ ଖେଳେ ଆନନ୍ଦ ଲହରୀ
ପ୍ରାଣରେ ପୁଲକେ ସବୁଜ ସପନ ଅସୁମାରି
ସେ ବରଷାରାଣୀ ମୁଣ୍ଡରୁ ତା' ଓଢ଼ଣୀ ଟାଣି
ମନ ହୃଦୟକୁ ପ୍ରେମରେ ତାର ଯାଏ ଜିଣି
ଦେଖି ଘନର ଘନ ଘନ ରୂପ ରୂପାନ୍ତର
ଛମ୍ ଛମ୍ ନାଚି ଯାଏ ଗାଇ ସୁମଧୁର
ଆଷାଢ଼ ଶ୍ରାବଣରେ ଛନ୍ଦ ତାଳ ତୋଳି
ଆତ୍ମବିଭୋରେ ସେ ବରଷି ପଡେ ଉଛୁଳି
ବିଲ ବଣ ବାଡି ବଗିଚାରେ ହସେ ସବୁଜିମା
ପ୍ରକୃତିର କୋଳେ ଭରିଯାଏ ସୁଷମା
ଚିତ୍ରିତ ନୀଳ ପୁଚ୍ଛ ଟେକି ଶିଖୀ ହୁଏ ବିହ୍ୱଳ
ଆପଣାର ସାଥୀକୁ କରି ଦିଏ ବ୍ୟାକୁଳ
ସ୍ବର୍ଗୀୟ ସେ ମେଘ ମହ୍ଲାରର ସ୍ବର ଝଙ୍କାର
ଜୀବ ଜଗତର ପ୍ରାଣକୁ କରେ ନବ ସଞ୍ଚାର
ସପ୍ତରଙ୍ଗୀ ଇନ୍ଦ୍ରଧନୁ ଶିରୀ ମନ ହରେ
ବରଷାରାଣୀ ଅଧରରୁ ହସ ମୁକୁତା ଝରେ
ତରୁଲତାର ଫୁଲେ ଫୁଲେ ପ୍ରଜାପତି ଘୁରେ
ଅଭିସାରିକା ବରଷାରାଣୀ ହୁଏ ପ୍ରେମମୟୀ
ପୁର ପଲ୍ଲୀକୁ ସଜାଇ କରେ ଶୋଭାମୟୀ
ସରୋବର ପ୍ରାନ୍ତରେ ଦର୍ଦ୍ଦୁରର କର୍କଶ ସ୍ବର
ଉନ୍ମାଦେ ସେ ବେସୁରା କରୁଥାଏ ନିରନ୍ତର
ତାପ ଚାପ ହୋଇ ମହୀମଣ୍ଡଳରୁ ଦୂର
ଲାଖବ କରେ କ୍ଳେଶ ସହିଷ୍ଣୁ ଅନ୍ତରର
ତୃପ୍ତ ହୁଅନ୍ତି ସକଳେ ପାଇ ଶୀତଳ ନୀର
ଚଷା ଚାଷେ ଆଗଭର ହୁଏ ତରତର
କେଦାରେ କେଦାରେ ହସାଇବାକୁ ଫସଲ
ହାଡ଼ ଭଙ୍ଗା ଶ୍ରମ କରେ ଶ୍ରମିକ ପାଇବାକୁ ମୂଲ
ବୁଣି ଶସ୍ୟ ବୀଜ କୃଷକ ଆଶାରେ ଭାଷାରେ
ଅସରନ୍ତି ସପନ ଦେଖେ ଅପଲକ ଆଖିରେ
ଗଢ଼ିବାକୁ ତା' ଆଶାରେ ସୁନାର ସଂସାର
ପାଣି କାଦୁଅରେ ହୁଏ ସେ ସରସର
ଖଟୁଥାଏ ଜୀବନକୁ ବାଜି ଲଗାଇ ତାର
ଭୋକିଲା ପେଟକୁ ଯୋଗାଇବାକୁ ଆହାର
ପ୍ରିୟ ତାର ପ୍ରିୟା ପାଶେ ହୋଇ ଅଧିର
ମନ ହୃଦୟରୁ ଝରାଏ ପ୍ରୀତିସୁଧାର ଝର
ଭବରେ ଭାବରେ ମୋହେ ମେଘ ମହ୍ଲାର
ତା' ଛନ୍ଦ ତାଳେ ସଂଗୀତମୟ ହୁଏ ସଂସାର।
