STORYMIRROR

Sachidananda Kar

Children

3  

Sachidananda Kar

Children

ମେଘ କନିଆଁର ବାହାଘର

ମେଘ କନିଆଁର ବାହାଘର

1 min
189

ଛୁଇଁ ଛୁଇଁ ଯାଏ  ମଉସୁମୀ ବାଆ

       ଚାଲି ତ ଗଲାଣି ଖରା

ମେଘ କନିଆଁର  ବାହାଘର ହେବ

       ଲଗନ ହେଲାଣି ଧରା ।।


ରଜା ଝିଅ ବୋଲି  ବାଣ ରୋଷଣୀକି

       ଇନ୍ଦର କଲାଣି ସଜ

ବର ଯାତିରୀରେ  ଆସିବା ପାଇଁକି

       ବନୁ ଆସିଲେଣି ଗଜ ।।


ଗଡିଆ କୂଳରୁ   ଡାହୁକ ଭାଇନା

        ଶଙ୍ଖ ଫୁଙ୍କିଲାଣି ବସି

ବଉଦ କୋଳରୁ   ବିଜୁଳି ନାନୀ ତ

        ଦେଲାଣି ମୁରୁକି ହସି ।।


ସାରୁ ବୁଦା ମୂଳୁ  ବେଙ୍ଗୁଲୀ ଅପାଟି

        ଛାଡିଲାଣି ହୁଳହୁଳି

ଆକାଶ ଆଖିରୁ   ଝରିଲା ଲୁହରେ

        ମରିଲାଣି ଦାଣ୍ଡ ଧୂଳି ।।


ଶାଶୂଘରକୁ ତ   ଯିବା ପାଇଁ ଝିଅ

       ଖୋଜା ପଡିଲାଣି ବାର

ଧରଣୀ ରାଣୀ ଯେ  ସଜାଡି ଦେଲାଣି

       କେତେ ଫୁଲ ଫଳ ଭାର ।।


ଝିଅ ଯିବ ବୋଲି  ସବୁଜ ଗାଲିଚା

       ବିଛେଇ ଦେଲାଣି ଘାସ

ଝିଅର ଗଭାରେ  କଦମ୍ବର ଫୁଲ

        ଛୁଟାଇ ଦେଲାଣି ବାସ ।।


ନଲି ଗୁଲୁଗୁଲୁ   ସାଧବବୋହୂଏ

       ପହଞ୍ଚି ଗଲେଣି ଆସି

ଝିଅ ସାଥେ ଯିବେ  ତା' ଶାଶୂଘରକୁ

       ହୋଇକି ତାହାର ଦାସୀ ।।


ସବାରୀ ଉଠିଲା  ଝିଅ ବିଦା ହେଲା

       ସକେଇ କାନ୍ଦିଲା ଝିଅ

ମେଘ ବରଷିଲା  ଟପ୍ ଟପ୍ ଟିକେ

       ଝିଅକୁ ବୁଝେଇ ଦିଅ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children