ମଧୁର ବିନୟ ବଚନ
ମଧୁର ବିନୟ ବଚନ
ଏଇ ବଚନେ ଗଙ୍ଗା, ବଚନେ ଦଙ୍ଗା
ମଧୁ ବଚନେ ହୃଦୟ ପୁରେ,
ବଚନରେ ଭାଙ୍ଗେ, ବଚନରେ ଯୋଡ଼େ
ପ୍ରିୟ ବଚନକୁ ହୃଦ ଝରେ।
ମଧୁବୋଳା କଥା ଅମୃତ ସମାନ
ହରି ନିଏ ସର୍ବ ହୃଦ ବ୍ୟଥା,
ଓଠ ରୁଷ୍ଟ ହେଲେ ଭାବ ମରିଯାଏ
ଆପେ ସରିଯାଏ ସବୁ କଥା।
ମଧୁର ବିନୟ ଭୂଷିତ ଭାଷଣେ
ଶୋକ ସନ୍ତାପିତ ପ୍ରାଣ ବୁଝେ,
ଜୀବନ ଜୀବନୀ ପଲ୍ଲବିତ ହୁଏ
ଭୁଲାମନ ଧୀରେଧୀରେ ହେଜେ।
କହିଦେବା କଥା ଫେରେନାହିଁ ଆଉ
ଥିଲେ କହିବା ଆଗରୁ ଚିନ୍ତି,
ଯଥା ସମୟରେ ଯଥା ଥିଲେ କହି
ହେବ ଜଗତ ଅଚିରେ ଜିତି।
ବଚନେ କୃପଣ ନହୋଇ ଉଚିତ
କଥା କହୁଥିଲେ ଧୀର ଚିତ୍ତେ,
ନିଜେ ଶାନ୍ତ ରହି ଅପରକୁ ଶାନ୍ତ
କରିବାର ଏହି ବିଧି ମତେ।
ଅସ୍ଥିର ହୃଦୟେ ବଚନର ଧାର
ହୃଦେ ଭରିଦିଏ ଗାଢ଼ କ୍ଷତ,
ଉଦବେଳିତ ଚିତ୍ତେ ସଂଯମତା ସହ
ନୀରବତା ହିଁ ଏକା ଉଚ୍ଚିତ।
ପରନିନ୍ଦା ପରଚର୍ଚ୍ଚାରେ ବଚନ
ହୁଏ ଯେବେ ସଦା କଳଙ୍କିତ,
ଅବିଚାରେ ଯେଉଁ ବଚନ ସ୍ଫୁରଇ
ସେ କଥାରେ ହୁଏନାହିଁ ହିତ।
କଥା ପଦକରେ ଫୁଟିଯାଏ ଯଦି
ହସ ଟିକେ କାହା ଓଠ ଧାରେ,
ବିନୟ ବଚନ ସିତ ଚନ୍ଦନରେ
ଭରିଦେବା ଜନ ମାନସରେ।
ପ୍ରେମ ମନ୍ଦାକିନୀ ସଲିଳ ଧାରାରେ
ଆସ ଧୋଇ ଦେବା ବଚନକୁ,
ବିବେକର ଦୃଢ଼ ଶାସନ ଦଣ୍ଡରେ
ଚାଲ ମାର୍ଜିତ କରିବା ବଚନକୁ।
ଶୁଦ୍ଧ ଅନ୍ତରରୁ ବିଶୁଦ୍ଧ ବଚନ
ସବୁ ଓଠ ଧାରୁ ଝରିଯାଉ,
ବାଣୀ ହେଉ ମହାମନ୍ତ୍ର ସମ ସିଦ୍ଧ
ସତ୍ୟ ପ୍ରକାଶରେ ଜଳୁଥାଉ।
