ମଧୁ-ଯାମିନୀର ଅନ୍ତର୍ନାଦ
ମଧୁ-ଯାମିନୀର ଅନ୍ତର୍ନାଦ
ତନ୍ଦ୍ରାଳସା ସର୍ବରୀ'ର
ରତି-କ୍ଳାନ୍ତା ଉନ୍ମୁକ୍ତ କବରୀ,
ଘନ-କୃଷ୍ଣ କେଶ-ପାଶେ
ଧରଣୀରେ ବିସ୍ତାରିତ ମାୟା...
ମଧୁ-ଯାମିନୀର ବିଳଂବିତ ରାତି
ଉତ୍ତାନ-ଶାୟିନୀ ନବ-ବଧୂ
ଉତ୍ତୁଂଗ-ବକ୍ଷଜା,
ଯୋଷା-ଶିରମଣୀ,
ଅସଂଯୋତା କଳେବରା
ଆଲୁଳାୟିତା କେଶା,
ଚୂର୍ଣ୍ଣ-କୁନ୍ତଳର ଘନ-ବନାନୀରୁ
ଏ ଯାବତ ରଜନୀ-ଗଂଧାର
ଅତୃପ୍ତ ସୂଗନ୍ଧ ମୋହାଚ୍ଛନ୍ନ କରେ
ନିଶିଥିନୀ ବୁକୁ
ଶଯ୍ୟା ଧାରେ ପତି ସୂସୁପ୍ତ-
ଅବହେଳେ ବିସ୍ମରିଣ
ନିଦ୍ରା'ର ଆବେଶେ
ନବ-ବଧୂ ସୁନ୍ଦରୀ ଲଳନା,
ଅବ'ଗୁଣ୍ଠନା-ବତୀ
ରମଣୀ-କାଂଚନ
ଅତିଂଦ୍ରୀୟ ଦେଶେ
ପରକୀୟା-ସ୍ୱପ୍ନେ ପ୍ରୀତି ଫୁଲ
ସୋରିଷ'ର କ୍ଷେତ
ଓଢ଼ଣୀ ସେ-ପ୍ରଜାପତି ଡେଣା,
ଅଥଚ-ଅବଗୁଣ୍ଠନ ତଳେ
ସପନର କ୍ଷେତେ ବାଲି ଚରେ,
ଉଷୁମ-ନିଶ୍ୱାସ ଖର ବହେ,
ସ୍ଫୀତ-ବକ୍ଷେ ରମଣୀ କାଂଚନ
ଅପେକ୍ଷିତା ସଂଭୋଗ ଲାଳସେ,
ସାଜି ଅର୍ଘ୍ୟ ଥାଳି,
ଆତ୍ମ-ସମର୍ପଣ ହୃଦେ ସ୍ମରି,
ଟୋପା ଟୋପା ଲୁହେ-
ବିଳଂବିତ ରାତିର ପହରେ
ସିକ୍ତ କରି ମଧୁ-ଶେଜ,
ଶେଜୁ ଷ୍ଫୁରେ
ମଉଳା ଫୁଲର ସୁବାସ,
ହେ ରାତ୍ରୀ
ପ୍ରଲଂବିତ ହୋଇଯାଅ ତୁମେ,
ଯେ ପର୍ଯ୍ୟନ୍ତ-
ମୋ ପ୍ରତୀକ୍ଷାର ନୈବେଦ୍ୟ ଓ
ଅର୍ଘ୍ୟ ଥାଳିର ପୂଜା-ଉପାସନା
ସରି ନ'ଯାଇଛି.....
ଯେ ପର୍ଯ୍ୟନ୍ତ-
ମୋ ଲୁହର ଅନ୍ତର୍ନାଦ
ସଂଚାରି ନ'ଯାଇଛି
ଅତିକ୍ରମି ଝିଁକାରୀ'ର ଅଖଣ୍ଡ-
ଝିଁ ଝିଁ ନାଦକୁ,
ପରକୀୟା ସମାଧିସ୍ଥ ହୃଦୟର
ଅଧିଷ୍ଠାନ ପ୍ରକଂପିତ ନହେବା ପର୍ଯ୍ୟନ୍ତ,
ଏଇ ଦେଖ-
ମୋ ଅମଳ କପାଳେ,
ଏ ପର୍ଯ୍ୟନ୍ତ ଦାଉ ଦାଉ ଜଳୁଛି,
ଅକ୍ଷତ ସିନ୍ଦୂର-ଲାଲିମା,....
ହେ ରଜନୀ-
ଦିଅ ମୋତେ ମୋକ୍ଷ,
ଏ ଯୁଗ ଯନ୍ତ୍ରଣାରୁ,
ଏ ପରିତ୍ୟକ୍ତ ସିନ୍ଦୂର'ରୁ.....