ମଧୁ ମିଳନ
ମଧୁ ମିଳନ
ଶୁଭ୍ର ସ୍ନିଗ୍ଧ ଜ୍ୟୋତ୍ସା ବିଛୁରିତ କରି
ଦେଖୁଥିଲା ଜହ୍ନ ଆକାଶ କୋଳେ
ମୁରୁକି ମୁରୁକି ହସୁଥିଲା ସଖୀ
ଅବଗୁଣ୍ଠନର ପରଦା ତଳେ
ଧୀରେ ଧୀରେ ଓଢଣୀଟି ଖୋଲି
ହାତେ ତୋଳିନେଲି ଚାନ୍ଦମୁଖକୁ
ସରମୀଲତା ସେ ଝାଉଁଳି ପଡିଲା
ବୁଜିନେଲା ତା'ର ଦୁଇ ଆଖିକୁ
ଲାଗୁଥିଲା ସତେ ସରଗ ପରୀ ସେ
ଝଟକୁଥିଲା ତା' ସାରା ଶରୀର
ମହ ମହ ବାସ ଝରିପଡୁଥିଲା
ବୋଳିହେଇଥିଲା ସିଏ ଅତର
ଆଖି ଦୁଇଧାରେ କଜଳର ଗାର
ଓଠେ ମାଖିଥିଲା ଗୋଲାପୀ ରଙ୍ଗ
ଭାବିଲି ମୁଁ କ୍ଷଣେ ପାଉଁଜି ଶବଦେ
ଋଷିଙ୍କର ଧ୍ୟାନ ହୋଇବ ଭଙ୍ଗ
ଘନକେଶପରେ ମଲ୍ଲୀର ଗଜରା
ପାହାଡ଼ ଦେହରେ ଝରଣା ଯେହ୍ନେ
ନାଲି ବିନ୍ଦି ତା'ର ଆହା କି ସୁନ୍ଦର
ନାଚି ଉଠୁଥିଲା ଝୁମୁକା କାନେ
ହୃଦୟେ ନିଷିଦ୍ଧ ପ୍ରୀତି ଭାବାବେଗ
ବନ୍ଧବାଡ଼ ଡେଇଁ ଉଠିଲେ ଚେଇଁ
ହୃଦୟ ସ୍ପନ୍ଦନ ବେଗ ବଢିଗଲା
ଦେହେ ଶିହରଣ ଭରିଲା କେହି
ଯୌବନରେ ଭିଜା ନିଷ୍ପ୍ରଭ ମନରେ
କୁହୁଳି ଉଠିଲା ପ୍ରୀତିର ବହ୍ନି
ପ୍ରେମିକ ପଣରେ ସଖୀ ହାତଧରି
ଆଣିଲି ମୋହର ପାଶକୁ ଟାଣି
ସୀମା ସରହଦ ଅତିକ୍ରମ କରି
ଓଠେ ଭରିଦେଲି ପ୍ରୀତି ଚୁମ୍ବନ
ନିସ୍ତବ୍ଧ ରାତ୍ରିରେ ପ୍ରଣୟ ପଥରେ
ଦୁଇଟି ଆତ୍ମାର ମଧୁ ମିଳନ

