ମୌସୁମୀ..
ମୌସୁମୀ..


ସତରେ ମୌସୁମୀ..
ତୁ ଆସିଲେ ନା,
ଚଉଦିଗେ ଅନେକ ରୋମାଞ୍ଚ,
ତୋ'ଦେହରେ ସାତ ତାଳ ମେଘ
ତୋ'ବାସ୍ନାରେ ଶିହରୀତ ମନ,
ମାଟି ହୁଏ ଯୌବନ ଦୀପ୍ତ,
ଭରିଦିଏ ଅନେକ ସ୍ପନ୍ଦନ,
ଅଧର,ଅନ୍ତର ପ୍ରାଣେ
ଅଂକୁର ଉଦ୍ଗମ,
ଖାସ୍ ତୋ'ଆଗମନେ..!
ମାଟି ଦେହ ଅଥର୍ବ ନିସ୍ପନ୍ଦ,
ତୋ'ଛୁଆଁରେ ହୁଏ ପଲ୍ଲବିତ,
ତୋ'ଚୁମ୍ବନେ ଯେ କୁସୁମିତ ପୟ,
ଜର୍ଜରିତ କ୍ଷୁଧିତ ଲୟ,ପୂର୍ଣ୍ଣ ପ୍ରସ୍ଫୁଟିତ,
ଆହତ ପ୍ରାଣ ଲଭେ ଚିର ଅନାହତ,
ଯୁଗବତ ପ୍ରତୀକ୍ଷାର ଅନ୍ତ, ତୋ,
କଅଁଳ ସ୍ପର୍ଶରେ ମୃଦୁ ଭ୍ରୁକମ୍ପନ
ହୃଦ,ମହ ମହ ବାସ୍ନାୟିତ,
ବିଦ୍ୟୁତ ଚମକ ଖେଳେ
ତୋ'ସମ୍ମୋହନେ..!
ସତରେ, ତୋ'ଆସନ୍ତେ ତ,
ଆସେ ପୁଣି ରଜ,ମାଟିର ପରବ,
ରଜୋଦୀପ୍ତ, ତେଜୋଦୀପ୍ତ ହୁଏ
ମାଆ,ମାଟି ଶିକ୍ତେ ମୁଗ୍ଧ ମନ୍ତ୍ରୋଦୀପ୍ତ,
ବୁଦ ବୁଦ ବୁକୁରେ ଵି'ଭରି ଯାଏ,
ଆନନ୍ଦର କ୍ଷେତ,ଶସ୍ୟ ଶ୍ୟାମଳା
>
ବୈଦୁର୍ଯ୍ୟ କାନ୍ତି ସୁଶୋଭିତ ପ୍ରାଣ,
ବିମୋହିତ ବୁକୁ,ସବୁଜିମା ପୂର୍ଣ୍ଣ,
ଭୁରି ଭୁରି ଭରି ଯାଏ ହିୟା,
ଆତୁରିତ ସ୍ନିଗ୍ଧ ସନ୍ନିଦ୍ଧାନେ..!
ସତରେ ଶ୍ରାବଣୀ..
ତୋ'ଛୁଆଁରେ ମାଦକତା,
ତନୁ ମନେ ଅଜସ୍ର ଶୀତଳତା,
ତୋ'ଝରରେ ନିଝୁମ ଝରଣ,
ରୁଣୁଝୁଣୁ,ରିମଝିମ ନୁପୂର ନିକ୍ୱଣ,
ଗଦ ଗଦ ମନ୍ତ୍ର ମୁଗ୍ଧ,ନିନାଦିତ
ରଜସ୍ୱଳା ହୁଏ ପୁଣ୍ୟ ତୋୟା
ଏ ବସୁନ୍ଧରା,ଚିବୁକରେ ଅଫୁରନ୍ତ
ହସର ଫୁଆର,ମାଟିରୁ ଆକାଶ
ସ୍ମିତ,ଅତି ସଂଗୋପନେ..!
ତୁ'ମାନ କି ନ ମାନ,
ତୋର ଏଇ ଆକର୍ଷଣ ନା,
କେଉଁ ମହା କର୍ଷଣର କେନ୍ଦ୍ରବିନ୍ଦୁ,
ଆକର୍ଷଣେ,କର୍ଷିତ ଏ ବଂଧୁର ଆତ୍ମା,
ଅନ୍ତରାତ୍ମା, ଏ କାଂକ୍ଷିତ ହୃଦୟରେ,
ତୋର ଏ ଅଯାଚିତ ପୁଣ୍ୟ ଦାନେ
ନିନାଦିତ ବୃଷ୍ଟି,ସୃଷ୍ଟିର ସାରାଂଶ,
ନିଷ୍ପ୍ରାଣ ପ୍ରାଣ ହୁଏ ପୁଣ୍ୟ ଗର୍ଭା
ଚିର ହରିତ୍ ବଞ୍ଜର ବକ୍ଷରେ,
ଖାସ୍, ତୋ ସମର୍ପଣେ..!