ମୌସୁମୀ
ମୌସୁମୀ
ବାର ମାସରେ ସେ ଛୁଅଟି ଋତୁରେ
ବର୍ଷାଋତୁ ଅନ୍ୟତମ
ବରଷା ସ୍ପର୍ଶରେ ଆରମ୍ଭ ହୁଅଇ
କୃଷକର କ୍ଷେତ କାମ ।
ଜୁନ୍ ବା ଜ୍ୟେଷ୍ଠ ମାସ ଆସି ଗଲେ
ମନରେ ପୁଲକ ଜାଗେ
କୃଷକ ଭାଇଟି ପ୍ରସ୍ତୁତ ହୁଅଇ
କେତେ ଯେ ମନ ସରାଗେ ।
ଜୁନ୍ ଆସିଲେ ମୌସୁମୀ ଆସିବ
ବର୍ଷିବ ଜଳର ଧାରା
ଶସ୍ଯ ଶ୍ୟାମଳର ସବୁଜମୟରେ
ହସିବ ଏ ବସୁନ୍ଧରା ।
ଉତ୍ତପ୍ତ ଏ ଧରା ହୋଇବ ଶୀତଳ
ମୌସୁମୀ ପରଶ ପାଇ
ଜୀବ ଜନ୍ତୁମାନେ ଉଶ୍ୱାସ ଲଭିବେ
ସୁଶୀତଳ ଜଳ ପାଇ ।
ବିଶ୍ବ ବ୍ରହ୍ମାଣ୍ଡରେ ମୌସୁମୀ ଅଟଇ
ସୁଖ ସୁଖ ଭାଗ୍ୟ ରେଖା
ମୌସୁମୀ ଆସିଲେ ବରଷା ଆସଇ
ବଦଳେ ପ୍ରକୃତି ଲେଖା ।
ପଦାର୍ପଣ ଯେଉଁଠି ମୌସୁମୀ ନ ହୁଏ
ସେ ଦେଶର ଭାଗ୍ୟ ଫଟା
ମୌସୁମୀ କପାଳେ ଲେଖା ଯାଇଥାଏ
ବରଷା ରାଣୀର ଛିଟା ।
ମୌସୁମୀ ନ ଥିଲେ ବରଷା ହୁଏନି
ମରୁଡି ପଡଇ ଦେଶ
ଡହଳ ବିକଳେ କଲବଲ ହେଇ
କଷ୍ଟ ଭୋଗଇ ମଣିଷ ।
ଏ ମର୍ତ୍ତ୍ୟ ମଣ୍ଡଳ ହାହାକାର ହୁଏ
ଜୀବମାନେ ତ୍ରାହି ତ୍ରାହି
ପ୍ରଚଣ୍ଡ ରୌଦ୍ରର ଉତ୍ତାପ ପ୍ରକୋପେ
ଦୀର୍ଘଶ୍ୱାସ ଛାଡେ ମହୀ ।
ଜୁନ୍ ଚଉଦଠୁ ଅପେକ୍ଷା କରନ୍ତି
ଏଇତ ଭାରତ ବାସୀ
ଭାରତରେ ଯେବେ ମୌସୁମୀ ପହଞ୍ଚେ
ହେଇଥାନ୍ତି କେତେ ଖୁସି ।
ଧୀରେ ଧୀରେ ସିଏ ଭାରତେ ପ୍ରବେଶି
ଓଡିଶାରେ ପାଦ ଦିଏ
ଆକାଶ ମାର୍ଗଟା ଭସା ବାଦଲରେ
କି ସୁନ୍ଦର ଦିଶୁଥାଏ ।
ସବୁ ଦେଶକୁ ସେ ଛୁଇଁ ଛୁଇଁ ଯାଇ
ଫେରି ଯାଇ ଥାଏ ସିଏ
ତାର ଅନୁଭୂତି ବିଦାୟ କାଳରେ
ବେଶୀ ଅନୁଭବ ହୁଏ ।
ଚାତକ ପରାୟ ସର୍ବେ ଚାହିଁ ଥାନ୍ତି
କେବେ ଆସିବ ମୌସୁମୀ
ତାର ଆଗମନେ ବରଷା ଛୁଇଁବ
ଏ ପବିତ୍ର ମାଟି ଭୂମି ।
ମୌସୁମୀ ବିଳମ୍ବେ କୃଷି କାର୍ଯ୍ୟ ସବୁ
ହେଇଥାଏ ବିଳମ୍ବିତ
କୃଷକ ଭାଇଟି କ୍ଷେତ ହୁଡେ ବସି
କପାଳେ ମାରଇ ହାତ ।
ସ୍ତମ୍ଭୀଭୂତ ହୁଏ ଆଶ୍ଚର୍ଯ୍ୟ ବି ହୁଏ
ମୌସୁମୀ ଆସୁନି କାହିଁ
ଅନୁତାପ କରେ ଏ ମଣିଷ ଦାୟୀ
ବୃକ୍ଷ ନାହିଁ ଆଉ ମହୀ ।
ଅନ୍ୟୟ ଅଧର୍ମ ପାପ ବଢିଗଲେ
ମୌସୁମୀ ଯେ ଫେରି ଯାଇ
ଇନ୍ଦ୍ର ଦେବତା ଯେ ବରଷା କରେନି
ନର ଥାଏ କଷ୍ଟ ପାଇ ।
ତରୁର ଛେଦନେ ମୌସୁମୀ ବି ଏବେ
ଭଲ ସାଧୁଅଛି ଦାଉ
ଆଖି ମଳି ମଳି କାନ୍ଦେ ଏ ମାନବ
କାହାକୁ କହିବ ଆଉ ।