ମୌସୁମୀ ଯାଇନି ଭୁଲି
ମୌସୁମୀ ଯାଇନି ଭୁଲି
ମୌସୁମୀ ଯାଇନି ଭୁଲି ଲୋ ସଙ୍ଗାତ
ମୌସୁମୀ ଯାଇନି ଭୁଲି
ମେଘ ସବାରୀ ତା ସଜ କରୁ ଅଛି
ଆସିବ ରୋଷଣୀ ଜାଳି ।
ବାଣକୁ ବହିନା ଦେଇଛି ସଙ୍ଗାତ
ବାରତା ପଠାଇ ଅଛି
ପବନ ବାପୁଡା ପାଗଲା ହୋଇ ଯେ
ଘୂର୍ଣ୍ଣିଝଡ ସାଜୁ ଅଛି ।
ଧରଣୀ ରାଣୀ ର ମନର ମିତ ଲୋ
ମାଟି ବୁକୁ ଫାଟି ଅଛି
ମୌସୁମୀ ଯାଇନି ଭୁଲି ଲୋ ସଙ୍ଗାତ
ତା ଗତି କମି ଯାଇଛି ।
ମୌସୁମୀ ଯାଇନି ଭୁଲି ଲୋ ସଙ୍ଗାତ
ଛମ୍ ଛମ୍ ଶଦ୍ଦ ଶୁଭୁଛି
ସେ ପାରି ରେ ଅଛି ବୋଲି ମଉସୁମୀ
ଆକାଶେ ଚିଠି ଲେଖିଛି ।
କହିଛି ମୌସୁମୀ ଯାଇନି ସେ ଭୁଲି
ଏ ମଣିଷ ପାଇଁ ଡେରି
କର୍ତ୍ତବ୍ଯ ପାଳନେ ଆସିବ ନିଶ୍ଚୟ
ଢ଼ାଳିଦେବ ସୁଧା ବାରୀ ।
ଡହଳ ବିକଳ ପ୍ରାଣେ ଦେବ ଶାନ୍ତି
ପ୍ରକୃତିକୁ ଦେବ କାନ୍ତି
ମୌସୁମୀ ଯାଇନି ଭୁଲି ଲୋ ସଙ୍ଗାତ
ମନରୁ ଫେଡ଼ିବ ଭାନ୍ତି ।
ନୀଳ ଶାଢୀ ପିନ୍ଧି ମୌସୁମୀ ଆସେ ଲୋ
ହାତରେ ସବୁଜ ଶାଢୀ
ପ୍ରକୃତି ମାଆକୁ ପିନ୍ଧାଇ ଦେବ ଲୋ
ମିତ ପାଇଁ ତାର ଭେଟି ।
ମୌସୁମୀ ଆସୁଛି ଆଶାର ରଥରେ
କୃଷକ ମୁହଁରେ ହସ
ତା କ୍ଷେତ ହୋଇବ ସୁଜଳା ସୁଫଳା
ନିରାଶାରେ ଫୁଟେ ଆଶ ।
ମୌସୁମୀ ଯାଇନି ଭୁଲି ଲୋ ସଙ୍ଗାତ
ଆସୁଛି ଶ୍ରାବଣୀ ଗୀତେ
ଛମ ଛମ ହୋଇ ନାଚିବ ଲୋ ସିଏ
ଆସୁଛି ସେ ଜନ ହିତେ ।
ଫଟା ମାଟି ବୁକୁ ନରମ କରି ଲୋ
ସବୁଜତା ଭରିଦେବ
ଶୂନ୍ୟ ଗର୍ଭା ପୁଣି ପୂର୍ଣ୍ଣ ଗର୍ଭା ହେବ
ଦେଖି ସନ୍ତୋଷ ଲଭିବ ।
ଆକାଶ ଅଗ୍ନିକୁ ପ୍ରଶମିତ କରି
ସନ୍ତାପ ଦୂର କରିବ
ଶୂନ୍ୟତାରେ ପୁଣି ପୂର୍ଣ୍ଣତା ଭରିବ
ଏହା ତା ଜୀବନ ଭାବ ।
ମୌସୁମୀ ଯାଇନି ଭୁଲି ଲୋ ସଙ୍ଗାତ
ଘୁରି ଘୁରି ସେ ଆସୁଛି
ରୁକ୍ଷତାରେ ଦେବ କୋମଳତା ଭରି
ରୋଷଣୀ ଦେଖା ଯାଉଛି ।
ପ୍ରକୃତି ମିତ୍ର ସେ ଜୀବର ଜୀବନ
ବଂଚିବା ର ସେ ଆଧାର
ଭୁଲିବ କେମିତି ତା ନିଜ ଲୋକଙ୍କୁ
କହ ତୁ ସଙ୍ଗାତ ମୋର ।
ଗତ ବରଷ ତ ଚିଠି ଲେଖିଥିଲା
ସଙ୍ଗାତ କି ପଢ଼ି ନାହୁଁ
ତା ବିଭ୍ରାଟ ପାଇଁ ଏ ମଣିଷ ଦାୟୀ
ମଣିଷ ହାତରେ ସବୁ ।
ମୌସୁମୀ ଯାଇନି ଭୁଲି ଲୋ ସଙ୍ଗାତ
ଆମେ କର୍ତ୍ତବ୍ଯ ଭୁଲୁଛୁ
ମୌସୁମୀ ତ ଅଟେ ଜୀବନ ଦାତ୍ରୀ ଲୋ
ମିଛେ ଦୋଷ ଦେଉ ଅଛୁ ।