STORYMIRROR

SARATA KUMAR DAS

Classics

3  

SARATA KUMAR DAS

Classics

ମୌସୁମୀ ଛୁଇଁଲା ପରେ

ମୌସୁମୀ ଛୁଇଁଲା ପରେ

1 min
149


ବଦଳି ଗଲାଣି କ୍ଷତାକ୍ତ ମୁହୂର୍ତ୍ତ 

ଧରଣୀର ବୁକୁ ପରେ

ସବୁଜ ସବୁଜ ଲାଗିଲାଣି ଧରା

ମୌସୁମୀ ଛୁଇଁଲା ପରେ ।।


ମେଘର ମହ୍ଲାର ଗାଏ ତରୁ ଲତା

ବଣ ବିଲ ନଈ ପାଟ

ତୃଷିତ ହୃଦୟେ ପୀୟୂଷର ଧାର

ଝଲମଲ ଦୃଶ୍ୟପଟ  ।।


ଆକାଶରେ ଭରା ବଉଦର ମାଳ

ସତେ କି ପଡିବ ଖସି

ମାଟି ଅଗଣାରେ ମହମହ ବାସ

ଝରିପଡେ ଯେତେ ଖୁସି  ।।


କେକୀ ନାଚକରେ କଳାମେଘ ଦେଖି 

ନାଚେ ପୁଣି ମନ ପ୍ରାଣ

ଝୁପୁରୁ ଝୁପୁରୁ ଟୁପୁରୁ ଟୁପୁରୁ

ପଲ୍ଲବିତ କୁଂଜବନ  ।।


ଜାଇ, ଯୂଈ, ମଲ୍ଲୀ, କିଆ କେତକୀରେ

ଆଚ୍ଛାଦିତ ରତ୍ନଗର୍ଭା

ଶସ୍ଯ ଶ୍ୟାମଳାରେ ଭରିଲାଣି ତନୁ

ସାତରଙ୍ଗେ ଶୋଭେ ଗଭା ।।


ସ୍ନିଗ୍ଧ ତପୋବନେ ମଧୁର ମୂର୍ଛନା 

ଛୁଇଁଯାଏ ଭୂମି ଭୂମା

ବରଷା ରାଣୀର ପାଦରେ ନୂପୁର

ରୂପେ ସେ'ତ ଅନୁପମା  ।।


କଦମ୍ବ ବନରେ ବାଜିଲାଣି ବଂଶୀ 

ହୃଦୟରେ ଭରେ ତାତି

ଲତା ଗହଳରେ ଚକୋର ଚକୋରୀ

ଗାଇଲେଣି ପ୍ରୀତିଗୀତି  ।। 


ନୀଳ ଆଖି ତଳେ ନୀଳ ସ୍ବପ୍ନମାଳା

ଭାସିଲାଣି ଧୀରେ ଧୀରେ

ହଜିଲାଣି ନିଦ ଝୁମିଲାଣି ଚିତ୍ତ

ମିଳନର ପ୍ରତୀକ୍ଷାରେ  ।।


ସାଗର ଗର୍ଭରେ ନୀଳ ଉର୍ମିମାଳା

ଚୁମିଲାଣି ବେଳାଭୂଇଁ  

ମୌସୁମୀର ସ୍ପର୍ଶ କୋମଳ ସୁବାସ

ମନଲୋଭା ନୀଳଛାଇ ।।


ଚାନ୍ଦର ଚାନ୍ଦିନୀ ଲୁଚକାଳି ଖେଳେ

ଭିଜୁଥାଏ ବର୍ଷା ନୀରେ

ଅଜାଡି ପଡୁଛି ମଙ୍ଗଳ ଆଶିଷ

ମୌସୁମୀ ଛୁଇଁଲା ପରେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics