ମାୟାର ସଂସାର କେ ନୁହେଁ କାହାର
ମାୟାର ସଂସାର କେ ନୁହେଁ କାହାର
ସଂପର୍କର ଡୋରେ ବନ୍ଧା ଏ ସଂସାର
ଭାବ ବିନିମୟେ ସଭିଏଁ ନିଜର,
ଦେଇ ଥିଲେ ପାଇ ଥାଏ ତ ନଜର
କରୁଥାଏ ମନେ ବିବେକ ବିଚାର।
ପିତା ମାତା ବନ୍ଧୁ ଯେତେ ଆପଣାର
କରୁଥିଲେ ସ୍ନେହ ମମତା ଆଦର,
ଜୀବନଟା ଲାଗେ ସରସ ସୁନ୍ଦର
ମଧୁମୟ ଲାଗେ ଘର ପରିବାର।
ଊଣା ହେଲେ କିଛି ହୁଅଇ ଅସ୍ଥିର
ମନେ ପ୍ରାଣେ ଭରି ଯାଏ ତ ବିକାର,
ପବିତ୍ର ବନ୍ଧନ ଛିହ୍ନ ହୁଏ ତାର
ଭାବ କିଛି ରହେନା ପରସ୍ପରର।
ମାୟାର ସଂସାର କେ ନୁହେଁ କାହାର
ମନେ ମନେ ଭାଳି ହୁଏ ନିରନ୍ତର,
ଉତ୍ସାହ ଆଗ୍ରହ ରହେନା ତାହାର
ଆତ୍ମୀୟଜନଙ୍କୁ ଭାବେ ସାତ ପର।
ଦାୟିତ୍ଵ କର୍ତ୍ତବ୍ୟ ଭୁଲି ଯାଏ ତାର
ଦୋଷାରୋପ କରେ ଏ ମିଛ ସଂସାର,
ଭାବନା ନଥିଲେ ବିଚାରେ ସାକାର
ନକରାତ୍ମକ ଭାବ ଆସେ ମନର।
ସଂସାରର ରୂପରେଖ ଯେ ଅସାର
ଭାବରେ ମଧୁର ଅଭାବେ ଜହର,
ଆସ୍ତିକ ଭାବନା ବିନା ସବୁ ଛାର
ଆଶା ଭରସା ହିଁ ଶକତି ତାର।
ଜନ୍ମ ମୃତ୍ୟୁ ଚକ୍ରେ ଜନ୍ମଜନ୍ମାନ୍ତର
ଘୁରି ବୁଲୁ ଥାଏ ପ୍ରାରବ୍ଧରେ ତାର,
ଗ୍ରାସି ନେଲେ ତାକୁ ଅଜ୍ଞାନ ଅନ୍ଧାର
କରି ପାରେ ନାହିଁ ସେ ସୂକ୍ଷ୍ମ ବିଚାର।
ମାନବ ଶରୀର ଅଟଇ ନଶ୍ବର
ନୁହେଁ ଚିର କି ନାହିଁ ସ୍ଥାୟିତ୍ଵ ତାର,
ଜୀବ ଜନ୍ମେ ଭବୁ ହେବାକୁ ଉଦ୍ଧାର
ସତ୍ୟ କର୍ମେ ଦୁଃଖରୁ ପାଏ ନିସ୍ତାର।
ତ୍ୟାଗ ସମର୍ପଣ ସୂତ୍ରରେ ସଂସାର
ଭାବର ବିଚାରେ ରହେ ନିର୍ବିକାର,
ଯାହାକୁ ଯେମିତି କରେ ବ୍ୟବହାର
ବିନିମୟେ ପାଏ ତଦ୍ରୁପ ପ୍ରକାର।
କର୍ମ ଅନୁଯାୟୀ ପାଏ ଫଳ ତାର
ନିଜ ତ୍ରୁଟି ନଦେଖି ହୁଏ ଅଧିର,
ଭେଦାଭେଦେ ବାଛି ପର ଆପଣାର
ଭାଗ୍ୟକୁ ନିନ୍ଦୁଥାଏ ଯେ ତାହାର।
ଜୀବନକୁ ଭାବି ଅଳପ ଦିନର
କରେ ନାହିଁ ତା' ସଠିକ୍ ଉପଚାର,
ନିଜ ଲାଗି ହୁଏ ନିଜେ ସ୍ଵାର୍ଥପର
ସୁଖ ଶିରୀ ଦେଖେ ନାହିଁ ସେ କାହାର।
କରୁଥାଏ ସିଏ ଗର୍ବ ଅହଙ୍କାର
ଧର୍ମ ପୁଣ୍ୟକୁ କରେ ସେ ବେଖାତିର,
ବିଧିର ବିଧାନେ ହୁଏ ରୂପାନ୍ତର
ହେବାର ଥାଏ ଯା' ହୁଏ ନିରନ୍ତର।
ଭାବର ସଂସାର ଭାବରେ ବିଚାର
ସତ୍ୟ ଜ୍ଞାନ ନେଇ ସିଦ୍ଧାନ୍ତ ତାହାର,
ଅନୁଭବ କରେ ବିଜ୍ଞଜନ ତାର
ଧ୍ୟାନ ଧାରଣାରେ ହୋଇ ଏକାନ୍ତର।
ଜୀଇଁ ଥିବା ଯାଏଁ କରେ ଉପକାର
ପାତର ଅନ୍ତର ନଥାଏ ତାହାର,
ଭାବେ ନାହିଁ କେବେ କାହାକୁ ସେ ପର
ସବୁରି ଭିତରେ ଦେଖେ ସେ ଈଶ୍ଵର।
ମାୟାର ସଂସାର କେ ନୁହେଁ କାହାର
ଭାବି କାହାକୁ କରେନା ହତାଦର,
ମାନି ସବୁ ମହାପ୍ରଭୁଙ୍କ ବିଚାର
ଶାନ୍ତି ତୃପ୍ତିରେ କାଟେ ଜୀବନ ତାର।
ବ୍ରହ୍ମ ଚିରନ୍ତନ ସୃଷ୍ଟିର ଆଧାର
ଜଗତେ ହୋଇ ବି ନିମିତ୍ତ ମାତର,
ଆରାଧନା କରି ନିତି ସେ ସତ୍ୟର
ପରମଙ୍କର ହୁଏ ନିକଟତର।
ମୋକ୍ଷ ପାଇ ଜୀବନ୍ମୁକ୍ତ ହୁଏ ତାର
ବ୍ରହ୍ମରେ ହୁଏ ସେ ଜୀବ ଏକାକାର,
ତା' ଲାଗି ହୁଏନା ମାୟାର ସଂସାର
ବ୍ରହ୍ମମୟେ ରହେ ସେ ଚିର ଅମର।