ମାଉସୀ ମାଆ
ମାଉସୀ ମାଆ
ଭାଇ ଭଗ୍ନୀ ସହ କାଳିଆ ଠାକୁର
ଆଷାଢ଼ ମାସର ଦ୍ବିତୀୟା ତିଥି
ଗୁଣ୍ଡିଚା ମାଆର କୋଳକୁ ମଣ୍ଡନ
ରଥାରୁଢ଼ ହୋଇ ହରଷେ ଅତି ।
ସତେ ଜନ୍ମସ୍ଥାନେ ଖୋଜେ ପିଲାଦିନ
ମିଳଇ ମାଆର ହାତ ରନ୍ଧାରେ
ପିତା ଇନ୍ଦ୍ରଦ୍ୟୁମ୍ନ ଇଚ୍ଛାକୁ ପୂରଣ
ସୁସଜ୍ଜିତ ରହି ଜନ୍ମ ବେଦିରେ ।
ମହାଲକ୍ଷ୍ମୀଙ୍କର କଣ୍ଟ ପୂରା ପାଇଁ
ଫେରଇ ବାହୁଡ଼ା ଦଶମୀ ଦିନ
ଫେରିଲା ବାଟରେ ବଳଗଣ୍ଡିଠାରେ
ମାଉସୀ ମାଆକୁ ରଥେ ଦର୍ଶନ ।
ତା' ହାତ ତିଆରି ପୋଡ଼ପିଠା ଖାଇ
ମନେ ମନେ ସତେ ହୁଅଇ ତୋଷ
ଶବର ରାଜନ ବିଶ୍ଵାବସୁଙ୍କୁ ସେ
ସୁମରି ଫୁଟାଏ ଖୁସିର ହସ ।
ବିଶ୍ବାବସୁଙ୍କର ଥିଲେ କୁଳଦେବୀ
ଅର୍ଦ୍ଧାସନୀ ନାମେ ଏଇ ମାଉସୀ
ନୀଳମାଧବଙ୍କୁ ପୂଜେ ବିଶ୍ବାବସୁ
ଗପତେ ଗହନ କାନନେ ପଶି ।
ସେ ନୀଳମାଧବ ରୂପ ଜଗନ୍ନାଥ
କାଳାନ୍ତରେ ପ୍ରଭୁ କରି ଧାରଣ
ଗୁଣ୍ଡିଚା ମାଆଠୁ ମାଉସୀ ପର୍ଯ୍ୟନ୍ତ
କରନ୍ତି ସକଳ ଇଚ୍ଛା ପୂରଣ ।
ଶିଖାଇ ଦିଅନ୍ତି ସାରା ଜଗତକୁ
ମାଆ ପରି ମଧ୍ୟ ମାଉସୀ ପ୍ରିୟ
ବନ୍ଧୁଜନ ପ୍ରୀତି ପ୍ରେମ ପତିପତ୍ନୀ
ଭାଇ ଭଉଣୀଙ୍କ ଅତୁଟ ସ୍ନେହ ।
