STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମାଟିମଗ୍ନ ଆଶା

ମାଟିମଗ୍ନ ଆଶା

1 min
132

ଫେରିବାକୁ ହେବ ବୋଲି ଭୁଲିବାର ଠିକ ପରେ ପରେ ହିଁ

କିଛି ଗୋଟେ ସଂଯୋଗ ସୂତ୍ରଟିଏ ଛିଡ଼ିଯାଏ ଅନ୍ତର ଭିତରୁ,

ନିର୍ବାସିତ ପଥ ଧାରେ ଲେଖିବାକୁ ଯିବାବେଳେ

ଆଶାର ଚକ୍ ଚକ୍ ମଖମଲି ଇତିହାସର ପୃଷ୍ଠା

ପକ୍ଷୀରାଜ ଘୋଡ଼ାର ଡେଣା ଫିଟିଯାଏ ଏରୁଣ୍ଡି ବନ୍ଧରୁ,

କୁହୁଡ଼ିର ଗର୍ଭ ଚିରି ଧାଇଁଚାଲେ ଜୀବନ

ସ୍ଵର୍ଣ୍ଣ କମଳ ସନ୍ଧାନେ ଥରୁଟିଏ ପଛକୁ ନଚାହିଁ

କିନ୍ତୁ ମନେପଡ଼ି ଯାଏ ଦାଣ୍ଡ ପାହାଚର ଧୂସର ପରଶ

ସଞ୍ଜ ନଇଁବା ଉତାରୁ।


ଡେଣା ଛିଡ଼ିବାର ଠିକ ପରେ ହିଁ

ଅନୁଭୂତ ହୁଏ ପାଦ ଓ ମାଟିର ଵ୍ୟଵଧାନର ଗୁରୁତ୍ୱ

ଧଡ଼ ଧଡ଼ ଛାତି ତଳେ କମ୍ପି ଉଠେ

ହଜି ଯିବାର ଭୟ ଖୁବ ଜୋରରେ,

ଭଙ୍ଗା କାଚର ଶବ୍ଦ କାନକୁ ତରକାଇ ଦିଏ

ସାଉଁଟିବାକୁ ପଡ଼େ ମରି ଚାଲିଥିବା ମାଟି ପ୍ରତି ବଳକା ମମତ୍ୱ।


ନଭମୁଖା ଆଶା ସବୁ ଧୀରେ ଧୀରେ ମାଟିମଗ୍ନ ହୁଏ

ଉଲ୍ଲସିତ ସ୍ୱପ୍ନ ସବୁ ଧୀରେ ଧୀରେ ନିରବି ଯାଏ

ମଥାନ ଉପରେ ଥିବା ଆକାଶକୁ ଛୁଇଁ ନପାରି

ଅଗଣାରେ ପାଦ ଥାପେ ବିରକ୍ତ ମଳୟ

ଆତ୍ମସ୍ଥ ହେବାକୁ ଧୂଳିପରେ ସ୍ୱତଃ ଲୋଟି ଯାଏ।


ବିଦୀର୍ଣ୍ଣ ବୀଜରୁ ଅଙ୍କୁରିତ ହୁଏ 

ସମ୍ଭାବନାର ନବ ସବୁଜିମା

ମାଟିର ମହିମାରେ ତନ୍ମୟ ହୁଏ

ଯେତେ ସବୁ ଭିଜା ଭିଜା ଆଶା ଓ ସ୍ୱପ୍ନର ଗାରିମା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract