ମାଟି
ମାଟି
ମାଟି ଅଟେ ମୁହିଁ ସଭିଙ୍କ ମାଆଟି
ମୂଳ ପିଣ୍ଡ ପଞ୍ଚଭୂତ,
ପାଇଲେ ବି ଯେତେ ତାଡନା ଯାତନା
ସଦା ହରଷିତ ଚିତ୍ତ ।
ଚଷା ପୁଅ ଚଷେ ମୋହରି ଶରୀର
ଜଗତକୁ ଦିଏ ଦାନା ,
ସେଥିପାଇଁ ମୋର ତିଳେ ଦୁଃଖ ନାହିଁ
କେବେ କରିନି ମୁଁ ମନା ।
କୁମ୍ଭକାର ପୁଅ ମୋତେ ନେଇ ଯାଇ
ପାଣିରେ ଜକେଇ ଦିଏ,
ଗୋଡ଼ରେ ହାତରେ ମାଡି ଚକଟିକି
ପିଣ୍ଡୁଳାଟେ କରିଦିଏ ।
ମାଟି ପିଣ୍ଡୁଳାକୁ କାଠ ଚକ୍ରେ ରଖି
ଚକଟି ଘୁରାଉ ଥାଏ ,
ଘୁରନ୍ତ ମାଟିରେ ଆଙ୍ଗୁଳି ସାହାଯ୍ଯେ
ନାନା ଦ୍ରବ୍ୟ ଗଢି ନିଏ ।
ମୂର୍ତ୍ତି କଳାକାର ମୂର୍ତ୍ତି ମାନ ଗଢେ
ମୋତେ ଦେଇ ମାଡି ଦଳି,
ସେଥିପାଇଁ କିଆଁ ଦୁଃଖ ମୁଁ କରିବି
ସତ୍ କର୍ମେ ପଡ଼େ ବଳି ।
ଏହି ପରି ମୋର ଜୀବନ ଚାଲିଛି
କାହିଁ ପାଇଁ ମୁଁ ଡରିବି,
ସୃଷ୍ଟି ଥିବା ଯାଏଁ ଅମୃତ ବାଣ୍ଟିବି
ସତ୍ କର୍ମେ ଲାଗୁଥିବି ।