ମାଟି
ମାଟି
ପାଦ ତଳ ମାଟି ହିଁ ସାହାରା,
ହେଉ ପଛେ ବନ୍ଧୁର କି ସମତଳ
ହେଉ ଅବା ମରୁ କି କାନ୍ତାର
ପାଦକୁ ଆଦରି ରଖେ ସନ୍ତାନକୁ ମାତୃ ସ୍ନେହ ଦେଇ
ସୁରକ୍ଷିତ ରଖିବା ଆଶାରେ।
ଆକାଶ ତ ଯୋଜନ ଦୂରରେ
ମୂର୍ଖ ଏ ମାନବ ଆଜି ଆକାଶକୁ ଛୁଇଁବା ସ୍ୱପ୍ନରେ
ଲମ୍ପ ଦିଏ ଏ ମାଟିକୁ ପଦାଘାତ କରି
ଆଉ ଆକାଶର ଆତ୍ମବଡ଼ିମାରେ
ଛିଡ଼ିଯାଏ ଯେବେ ଦିନେ ବିଶ୍ୱାସର ରଜ୍ଜୁ
ଶେଷେ ଆସି ଆଶ୍ରୟ ନେବାକୁ ପଡେ ମାଟିର ଶେଯରେ,
ମାଟି ବି ଆଦରି ନିଏ ଭ୍ରମିତ ସନ୍ତାନେ ତାର
ନିଷ୍କପଟ ବାତ୍ସଲ୍ୟ କୋଳରେ।
ଏ ଦେହ ମାଟିରେ ଗଢ଼ା
ମାଟିରେ ବି ମିଶିବ ନିଶ୍ଚେ ଦିନେ
ଆକାଶର ଏ ଅଚିହ୍ନା ଛାଇ ଆଜି ଅଛି କାଲିକି ନଥିବ
ଏ ମାଟି ଥିବ ବାସ୍ତବ କି ହେଉ ବି ସ୍ବପନେ।
ଆସ ! ମାଟି ହୁଅ
ମାଟି ସମ ମାତୃକୋଳେ ଶୁଅ
ଧୂଳି ହୋଇ ଗୋଳି ହୋଇ ଦେଖ
ଉର୍ଦ୍ଧ୍ୱମୁଖୀ ଅହଙ୍କାର ମହଲକୁ ଭାଙ୍ଗି
ନତମୁଖୀ ହୋଇ ଥରେ ଚାହଁ
ଦେଖିବ ! ଆକାଶରେ ଉଡ଼ିବାର ସ୍ବପ୍ନଠାରୁ
ମାଟିରେ ଶୋଇବାର ବାସ୍ତବତା କେତେ ଶାନ୍ତିପ୍ରଦ।