ମାଟି ର ମଣିଷ
ମାଟି ର ମଣିଷ
ମାଟି ର ମଣିଷ ମୁହିଁ ମାଟି ମୋ ଠିକଣା
ମାଟିଛଡା ଜାଣିନାହିଁ କିଛି,
ମାଟିଛାଡି ଆକାଶରେ ପାରିବିନି ଉଡି
ଏତିକି ମୁଁ ଭଲରେ ଜାଣିଛି ।
ମାଟି ରେ ଶରଧା ମୋର ମାଟି ମୋ ଜୀବନ
ଏ ମାଟି ରେ ଶିଖିଛି ମୁଁ ଚାଲି,
ସେଇ ମୋ ସରଗ ବୋଲି ପଡ଼ିଛି ତା ପ୍ରେମେ
ଆଦରିଛି ତାର ଧୂଳି,ବାଲି ।
ଛଳ ଛଳ ଧାଉଁଥାଏ ତା ନଦୀ , ଝରଣା
କଳ କଳ ଗାଉଥାଏ ଗୀତ,
ସେ ଶବଦ ଭରିଦିଏ ପ୍ରାଣରେ ପୁଲକ
ସତେ ଅବା ଜୀବନ-ସଙ୍ଗୀତ ।
ଋତୁ-ଚକ୍ରେ ଆସିଥାଏ ଗ୍ରୀଷ୍ମ, ବର୍ଷା, ଶୀତ
ଶରତ,ହେମନ୍ତ ପୁଣି ଆସେ,
ଋତୁରାଜ ବସନ୍ତ ର ଶୋଭା ଅନୁପମ
ଦେଖଣାହାରୀ ର ମନ ତୋଷେ ।
ଏଡିକି ସୁନ୍ଦର ତାର ପରବତ, ବଣ
ଶୋଭାବନ୍ତ ତାର ବିଲ,ପାଟ,
ମନଲୋଭା ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ର ରଙ୍ଗ
ଆକାଶରେ ବର୍ଣ୍ଣାଳୀ ର ଛିଟ ।
ସୁନ୍ଦର ତା ଗଛଲତା ଫୁଲ ଆଉ ଫଳ
ସୁନ୍ଦର ତା ଆକାଶ ଓ ଜହ୍ନ,
ସୁନ୍ଦର ତା ପଶୁପକ୍ଷୀ, ଧୂସର ଦିଗନ୍ତ
ନିମିଷକେ ହରେ ମନ,ପ୍ରାଣ ।
ଋତୁ ଅନୁସାରେ ନିତି ନୂଆ ରୂପ ଧରେ
କେବେ ଶାନ୍ତ କେବେ ଭୟଙ୍କର,
ଧନ୍ୟ ସେଇ ଚିତ୍ରକର ଯେ ଆଙ୍କିଛି ସବୁ
ତା' ଚରଣେ କୋଟି ନମସ୍କାର ।