STORYMIRROR

Aishwarya Mishra

Inspirational

4  

Aishwarya Mishra

Inspirational

ମାଟି ମାଆ

ମାଟି ମାଆ

1 min
170

ଜନନୀ ଜଠରୁ ଜନମିବା ପରେ

ପ୍ରଥମେ ପାଦ ଥାପି ଥିଲି 

ମୁଁ ମୋର ମାଟି ମାଆର କୋଳେ ,

ମୋ ମାଆ ପରି ,

ଅତି ଆଦରରେ

ଅତି ଯତନରେ

ମୋତେ କୋଳେଇ ନେଲା ସେ,

ତା' ଛାତିରେ ପାଦ ରଖି

ପ୍ରଥମ କରି ଚାଲି ଶିଖିଥିଲି ମୁଁ ,


ବାଲ୍ୟକାଳରୁ ହିଁ 

କୋଳାଗ୍ରତ କରି

କୁନି କୁନି ଆଖିରେ,

ଦେଖାଇଥିଲା ଅନେକ ସ୍ଵପ୍ନ,

ତା' ମାଟି , ପାଣି , ପବନରେ

ଗଢି ଦେଇଛି ମୋ ଶରୀର,

ମୋ ରକ୍ତରେ ଭରି ଦେଇଛି 

ଦେଶ-ପ୍ରେମର ଅପୂର୍ବ ଉନ୍ମାଦନା,


ଯେଉଁଠି ବି ମୁଁ ଦେଖିଲି 

ମୋ ଚାରିପାଖରେ, ମୋ ଜନ୍ମମାଟିରେ , 

ଦେଖାଗଲା ମୋତେ

ନୈସର୍ଗିକ ସୁଷମାର ଅପୂର୍ବ ଭଣ୍ଡାର,

ପାଦ ଦେଶରେ ଯାହାର

ଚରଣେ ପଖାଳେ

ସୁଦୂର ପ୍ରସାରୀ ମହାସାଗର,

କଟିଦେଶରେ ଶୋଭା ପାଏ

ଶାନ୍ତ-ଶ୍ୟାମଳ ସବୁଜିମା ଭରା

ଚିର ଯୌବନା, ଅରଣ୍ୟ ସଂପନ୍ନା 

ପର୍ବତର ଗଳାହାର ,


ପ୍ରକୃତି ତା' ଠାରେ ଭରିଛି

ଅନିନ୍ଦ୍ୟ ଶୋଭାର ଅମ୍ଳାନ ଗନ୍ତାଘର,

ଋତୁସ୍ନାତା ପ୍ରକୃତିର 

ଯାଦୁକରୀ ସ୍ପର୍ଶରେ ,

ଖିଲି ଖିଲି ହୋଇ ହସି ଉଠେ

ମୋ ମାଟି ମାଆ ,

ନିଦାଘରେ କୃଷ୍ଣଚୂଡ଼ାର ରକ୍ତିମ ଆଭାରେ,

ଶ୍ରାବଣରେ ଇନ୍ଦ୍ରଧନୁର ରଙ୍ଗମୟ ଛିଟାରେ

ଶରତରେ ଶୁଭ୍ର କାଶତଣ୍ଡୀର 

ଧବଳ-ମୟ ଜ୍ୟୋତିରେ,

ଶୀତ ଆସରରେ କାକର ଭରା

ଘାସ ଗାଲିଚାରେ,

ବସନ୍ତରେ ଆମ୍ର-କୁଞ୍ଜର କୁହୁ ତାନରେ

ବିଚିତ୍ରବର୍ଣ୍ଣା ଦିଶେ ମୋ ଜନ୍ମଭୂମି ,


ମୋ ମାତୃଭୂମି ପରି 

ଅତୀବ ସରସ ସୁନ୍ଦର ମୋ ମାତୃଭାଷା

କେବେ ଭିଜିଛି ସେ

ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟିକ ଚେତନାରେ,

ପଞ୍ଚ-ସଖାଙ୍କ ଭକ୍ତି ରସାଣିତ 

ପ୍ରାର୍ଥନା ଅର୍ଘ୍ୟରେ,

କେବେ ଜାତୀୟତାବାଦର ସୂକ୍ଷ୍ମ ଚେତନରେ ,

ନିତି ନିତି ପରିପୃକ୍ତ ହୁଏ

ପରିପୃଷ୍ଟ ହୁଏ

ମୋର ଅତି ପ୍ରିୟ ,

ସରସ- ସାବଲୀଳ ମୋ ମାତୃଭାଷା ,


ମାତୃଭୂମି ମାତୃଭାଷାରେ ମମତା

ଯା' ହୃଦେ ଜନମି ନାହିଁ

ତା'କୁ ଯଦି ଜ୍ଞାନୀଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ !

ଅଜ୍ଞାନ ଅନ୍ଧାରେ, 

ଦୀପଶିଖା ସାଜି

ମାତୃଭାଷା ମୋର ହସେ

କେତେ କବିଙ୍କର,

କାବ୍ୟ ଚେତନାରେ

ଭକ୍ତି ଭାବନାରେ

ବିପ୍ଳବ ଅଗ୍ନିଶିଖାରେ

ଦିନକୁ ଦିନ ଅକ୍ଷୟ, ଅମ୍ଳାନ ସାଜେ

ମୋ ପ୍ରିୟତମା ମାତୃଭାଷା

ମୋ ମାଟି ମାଆର ଭାଷା ,,,


Rate this content
Log in

Similar oriya poem from Inspirational