ମାଟି ମାଆ
ମାଟି ମାଆ
ଜନନୀ ଜଠରୁ ଜନମିବା ପରେ
ପ୍ରଥମେ ପାଦ ଥାପି ଥିଲି
ମୁଁ ମୋର ମାଟି ମାଆର କୋଳେ ,
ମୋ ମାଆ ପରି ,
ଅତି ଆଦରରେ
ଅତି ଯତନରେ
ମୋତେ କୋଳେଇ ନେଲା ସେ,
ତା' ଛାତିରେ ପାଦ ରଖି
ପ୍ରଥମ କରି ଚାଲି ଶିଖିଥିଲି ମୁଁ ,
ବାଲ୍ୟକାଳରୁ ହିଁ
କୋଳାଗ୍ରତ କରି
କୁନି କୁନି ଆଖିରେ,
ଦେଖାଇଥିଲା ଅନେକ ସ୍ଵପ୍ନ,
ତା' ମାଟି , ପାଣି , ପବନରେ
ଗଢି ଦେଇଛି ମୋ ଶରୀର,
ମୋ ରକ୍ତରେ ଭରି ଦେଇଛି
ଦେଶ-ପ୍ରେମର ଅପୂର୍ବ ଉନ୍ମାଦନା,
ଯେଉଁଠି ବି ମୁଁ ଦେଖିଲି
ମୋ ଚାରିପାଖରେ, ମୋ ଜନ୍ମମାଟିରେ ,
ଦେଖାଗଲା ମୋତେ
ନୈସର୍ଗିକ ସୁଷମାର ଅପୂର୍ବ ଭଣ୍ଡାର,
ପାଦ ଦେଶରେ ଯାହାର
ଚରଣେ ପଖାଳେ
ସୁଦୂର ପ୍ରସାରୀ ମହାସାଗର,
କଟିଦେଶରେ ଶୋଭା ପାଏ
ଶାନ୍ତ-ଶ୍ୟାମଳ ସବୁଜିମା ଭରା
ଚିର ଯୌବନା, ଅରଣ୍ୟ ସଂପନ୍ନା
ପର୍ବତର ଗଳାହାର ,
ପ୍ରକୃତି ତା' ଠାରେ ଭରିଛି
ଅନିନ୍ଦ୍ୟ ଶୋଭାର ଅମ୍ଳାନ ଗନ୍ତାଘର,
ଋତୁସ୍ନାତା ପ୍ରକୃତିର
ଯାଦୁକରୀ ସ୍ପର୍ଶରେ ,
ଖିଲି ଖିଲି ହୋଇ ହସି ଉଠେ
ମୋ ମାଟି ମାଆ ,
ନିଦାଘରେ କୃଷ୍ଣଚୂଡ଼ାର ରକ୍ତିମ ଆଭାରେ,
ଶ୍ରାବଣରେ ଇନ୍ଦ୍ରଧନୁର ରଙ୍ଗମୟ ଛିଟାରେ
ଶରତରେ ଶୁଭ୍ର କାଶତଣ୍ଡୀର
ଧବଳ-ମୟ ଜ୍ୟୋତିରେ,
ଶୀତ ଆସରରେ କାକର ଭରା
ଘାସ ଗାଲିଚାରେ,
ବସନ୍ତରେ ଆମ୍ର-କୁଞ୍ଜର କୁହୁ ତାନରେ
ବିଚିତ୍ରବର୍ଣ୍ଣା ଦିଶେ ମୋ ଜନ୍ମଭୂମି ,
ମୋ ମାତୃଭୂମି ପରି
ଅତୀବ ସରସ ସୁନ୍ଦର ମୋ ମାତୃଭାଷା
କେବେ ଭିଜିଛି ସେ
ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟିକ ଚେତନାରେ,
ପଞ୍ଚ-ସଖାଙ୍କ ଭକ୍ତି ରସାଣିତ
ପ୍ରାର୍ଥନା ଅର୍ଘ୍ୟରେ,
କେବେ ଜାତୀୟତାବାଦର ସୂକ୍ଷ୍ମ ଚେତନରେ ,
ନିତି ନିତି ପରିପୃକ୍ତ ହୁଏ
ପରିପୃଷ୍ଟ ହୁଏ
ମୋର ଅତି ପ୍ରିୟ ,
ସରସ- ସାବଲୀଳ ମୋ ମାତୃଭାଷା ,
ମାତୃଭୂମି ମାତୃଭାଷାରେ ମମତା
ଯା' ହୃଦେ ଜନମି ନାହିଁ
ତା'କୁ ଯଦି ଜ୍ଞାନୀଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ !
ଅଜ୍ଞାନ ଅନ୍ଧାରେ,
ଦୀପଶିଖା ସାଜି
ମାତୃଭାଷା ମୋର ହସେ
କେତେ କବିଙ୍କର,
କାବ୍ୟ ଚେତନାରେ
ଭକ୍ତି ଭାବନାରେ
ବିପ୍ଳବ ଅଗ୍ନିଶିଖାରେ
ଦିନକୁ ଦିନ ଅକ୍ଷୟ, ଅମ୍ଳାନ ସାଜେ
ମୋ ପ୍ରିୟତମା ମାତୃଭାଷା
ମୋ ମାଟି ମାଆର ଭାଷା ,,,